spot_img

Latest Posts

ଡଃ ଅରୁନ୍ଧତୀ ଦେବୀଙ୍କୁ ବୀର ବାଜି ରାଉତ ସମ୍ମାନ-୨୦୨୨

ନୂଆଦିଲ୍ଲୀ: ବିଶିଷ୍ଟ ସମାଜସେବୀ ଏବଂ ଶୋଭାନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀଙ୍କୁ ଚଳିତ ବର୍ଷର ବୀର ବାଜି ରାଉତ ସମ୍ମାନ ପ୍ରଦାନ କରାଯାଇଛି। ସମାଜର ସବୁକ୍ଷେତ୍ରରୁ ଅଶୋଭନୀୟତାର ଦୂରୀକରଣ ଏବଂ ଜନକଲ୍ୟାଣ ନେଇ ତାଙ୍କର ଜୀବନତମାମ ଅବଦାନ ସକାଶେ ଡଃ ଦେବୀଙ୍କୁ ଏହି ସମ୍ମାନନୀୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଥିବା ଜଣାଯାଇଛି। ଉତ୍କଳ ଭାରତୀ ପତ୍ରିକା ତରଫରୁ ଜାତୀୟସ୍ତରରେ ପ୍ରତିଷ୍ଠିତ ଏହି ସମ୍ମାନ, ବାଜିରାଉତଙ୍କର ସ୍ମୃତିରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ମୁକ୍ତ ଶିକ୍ଷା ବିଦ୍ୟାଳୟ ଠାରେ ଆୟୋଜିତ ଜାତୀୟ ଆଲୋଚନା ଚକ୍ର ଅବସରରେ ଡଃ ଦେବୀଙ୍କୁ ପ୍ରଦାନ କରାଯାଇଛି।

“ଜାତୀୟ ଶିକ୍ଷା ନୀତି ୨୦୨୦ : ଭାରତର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ସମ୍ପର୍କରେ ଏକ ଶୈଖିକ ଅନୁଶୀଳନ” ଶୀର୍ଷକ ଏହି ବିଚାରଗୋଷ୍ଠୀରେ ଦେଶର ବହୁ ଲବ୍ଧପ୍ରତିଷ୍ଠ ଶିକ୍ଷାବିତ୍, ବୁଦ୍ଧିଜୀବି, ଛାତ୍ର ଛାତ୍ରୀ ଏବଂ ପ୍ରବାସୀ ଓଡ଼ିଆ ସମ୍ପ୍ରଦାୟର ନେତୃବୃନ୍ଦ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ଡଃ ଅରୁନ୍ଧତୀ ଦେବୀ, ବାର ବର୍ଷର ବାଳୁତ ବାଜି ରାଉତଙ୍କର ମହାନ ବଳିଦାନ ପ୍ରକୃତ ଦେଶପ୍ରେମ, ପ୍ରଗାଢ଼ ଦେଶଭକ୍ତି ଏବଂ ପ୍ରଶସ୍ତ ଦେଶସେବାର ନିଦର୍ଶନ ଥିଲା ବୋଲି ଉଲ୍ଲେଖ କରିଥିଲେ।

ସଭାରେ ଉଦବୋଧନ ଦେଇ ସମ୍ମାନିତ ଅତିଥି, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧକ୍ଷ କିଶୋର ଦ୍ଵିବେଦୀ, ପ୍ରଦେଶ ରାଜଧାନୀ ଭୁବନେଶ୍ୱର ଏବଂ ଜାତୀୟ ରାଜଧାନୀ ଦିଲ୍ଲୀ ଠାରେ ବାଜି ରାଉତଙ୍କର ଭବ୍ୟ ସ୍ମାରକ ନିର୍ମାଣ କରାଯିବାକୁ ନିବେଦନ କରିଥିଲେ। ସମ୍ମାନିତ ବକ୍ତା ପ୍ରଫେସର ଡି.କେ ଗିରି ସମାଜରୁ ଦ୍ଵନ୍ଦ ଓ ଦ୍ଵିବିଧାର ଦୂରୀକରଣ ନେଇ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ଆଲୋଚନା ଚକ୍ରର ଅଧକ୍ଷ ପ୍ରଫେସର ଜନ୍ମେଜୟ ଖୁଣ୍ଟିଆ, ବାଜି ରାଉତଙ୍କର ବାଳିଦାନକୁ ଇତିହାସରେ ଲିପିବଦ୍ଧ କରାଯିବା ଉଦ୍ଦେଶ୍ୟରେ ସରକାରଙ୍କୁ ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଥିଲେ।

ବରେଣ୍ୟ ଅତିଥି ରାକେଶ ପାଣ୍ଡେ ଭାରତରେ ପ୍ରଚଳିତ ଧାର୍ମିକ ଗଣତନ୍ତ୍ରର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ସହ ଆବାହକ ଡକ୍ଟର ଶିବନାଥ ମିଶ୍ର ବାଜି ରାଉତଙ୍କର ନାମରେ ଏକ ପାର୍କକୁ ନାମିତ କରିବାକୁ ମତପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଆଇନଜୀବୀ ଅନିତା ମହାପାତ୍ର ବାଜି ରାଉତଙ୍କର ଜୀବନ ଓ ଦର୍ଶନକୁ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରାଯିବା ଉପରେ ଜୋର ଦେଇଥିଲେ। ପ୍ରବାସୀ ଓଡ଼ିଆ ବିକାଶ ସମିତିର ସଭାପତି ସୂର୍ଯ୍ୟ ନାରାୟଣ ମିଶ୍ର, ସଚ୍ଚା ଜାତୀୟତା ଓ ସମର୍ପିତ ରାଷ୍ଟ୍ରପ୍ରେମ ଦ୍ଵାରା ଯୁବ ସମାଜ ଉଦବୁଦ୍ଧ ହେବାକୁ ଆହ୍ବାନ ଜଣାଇଥିଲେ। ଯୁବ ପ୍ରାଧ୍ୟାପକ କମଳାକାନ୍ତ ରାଉଳ ଦେଶର ଇତିହାସକୁ ସଂଶୋଧନ କରାଯାଇ ଏଥିରେ ବାଜିରାଉତଙ୍କର ଜୀବନୀକୁ ସନ୍ନିବେଶିତ କରିବାକୁ ଦାବି କରିଥଲେ।

Latest Posts

Don't Miss