ପିଇବା ପାଣି ପାଇଁ ରାଜ୍ୟବାସୀ ହେଉଛନ୍ତି ଝଟପଟ, ରଙ୍ଗ ବଦଳା ସରକାରଙ୍କ ନିଘା ନାହିଁ

ନନ୍ଦିଘୋଷ ବ୍ୟୁରୋ: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ । ପାଣି ମୁନ୍ଦିଏ ଲାଗି ସବୁଠି ଛଟପଟ ହେଉଛନ୍ତି ଜନତା । ଗାଁ ଗଣ୍ଡାରେ ଜଳ ସମସ୍ୟା ଉତ୍କଟ । ଭୂତଳ ଜଳସ୍ତର କମିଯିବାରୁ ନଳକୂପ ଅଚଳ, ଶୁଖି ଗଲାଣି କୂଅ, ପୋଖରୀ । ଲୋକଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାରେ ବି ବିଫଳ ସରକାର । ବିଭାଗୀୟ ମନ୍ତ୍ରୀ ହାତ ଟେକି ଦେଇଛନ୍ତି। ମନ୍ତ୍ରୀ ସ୍ବୀକାର କରିଛନ୍ତି ପାନୀୟ ଜଳ ସମସ୍ୟା ଗମ୍ଭୀର । ମାସକ ମଧ୍ୟରେ ସବୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ସରକାର କେବଳ ରଙ୍ଗ ବଦଳାଉଛନ୍ତି, ହେଲେ ଲୋକଙ୍କୁ ପିଇବା ପାଣି ଯୋଗାଇ ପାରୁନାହାନ୍ତି କହି ଟାର୍ଗେଟ କରିଛି ବିଜେଡ଼ି ।

ତାତି ବଢିବା ସହ ପିଇବା ପାଣିର ଅଭାବ ଯୋଗୁଁ ଛଟପଟ ହେଉଛନ୍ତି ଲୋକେ । ନବରଙ୍ଗପୁରରୁ ସୁବର୍ଣ୍ଣପୁର, ସବୁଠି ଜଳ ସମସ୍ୟା ଉତ୍କଟ । ଗାଁ ଗଣ୍ଡାରେ ନଳକୂପ ଅଚଳ । ସବୁଠୁ ଶୁଖିଲା କୂଅ ଓ ପୋଖରୀ । ଯେଉଁଠି ବୋରିଂ ପଏଣ୍ଟ ଅଛି, ସେଠାରୁ ପାଣି ବୋହିବା କାଠିକର ପାଠ । କେଉଁଠି ଅଟୋରେ ଲୋକେ ପାଣି ବୋହୁଛନ୍ତି ତ କେଉଁଠି ନଳକୂପ ପାଖରେ ଲମ୍ବା ଲାଇନ ଲାଇନ ଲାଗିଥିଲେ ବି ପାଣି ମିଳୁନି । ଅସହ୍ୟ ତାତି ସାଙ୍ଗକୁ ବଳି ଯାଉଛି ପାଣି ଯନ୍ତ୍ରଣା । ସହରାଞ୍ଚଳରେ ଅମୃତ ଧାରାରୁ ବି ବାହାରୁନାହିଁ ପାଣି । ପିଇବା ପାଣି ଯୋଗାଇବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ସାଧାରଣ ଜନତା ।

ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ସରକାର ସମ୍ପୂର୍ଣ୍ଣ ହାତ ଟେକି ଦେଇଛନ୍ତି। ନିଜର ଅସହାୟତା ପ୍ରକାଶ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ସ୍ବୀକାର କରିଛନ୍ତି ଜଳ ସମସ୍ୟା ଉତ୍କଟ । କମ୍ ବର୍ଷା ସାଙ୍ଗକୁ ଅଧିକ ଚାଷକୁ ଜଳ ସମସ୍ୟା ପାଇଁ ଦାୟୀ କରିଛନ୍ତି ମନ୍ତ୍ରୀ । ଯନ୍ତ୍ରାଂଶର ଅଭାବ ଯୋଗୁଁ ଟ୍ୟୁବଓ୍ବେଲ ମଧ୍ୟ ଖୋଳା ଯାଇପାରୁନାହିଁ । ଜଳାଭାବ ଜାଗାରେ ବିକଳ୍ପ ବ୍ୟବସ୍ଥା କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଥିବା ବେଳେ ଗ୍ରାଉଣ୍ଡ ଜିରୋରେ ଏହାର ପ୍ରତିଫଳନ ଦେଖାଯାଉନାହିଁ । ସରକାରଙ୍କ ଏପରି ବେପରୁଆ ମନୋଭାବକୁ ବିଜେଡ଼ି ସମାଲୋଚନା କରିଥିବା ବେଳେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ସ୍ଥିତି ଉପରେ ନଜର ରଖିଛୁ ।

ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଛୁଇଁଲାଣି । ଅସହ୍ୟ ଗରମ ବେଳେ ପାଣି ବୁନ୍ଦିଏ ବି ନମିଳିବା ଲୋକଙ୍କ ପାଇଁ ଅସହ୍ୟ ହୋଇଛି । ପିଇବା ପାଣି ଯୋଗାଇବା ଦାୟିତ୍ବ ନେଇଥିବା ସରକାର ଯଦି ହାତ ଟେକିଦିଅନ୍ତି, ଲୋକେ କାହାକୁ ଗୁହାରୀ କରିବେ ? ଯୁଦ୍ଧକାଳୀନ ଭିତ୍ତିରେ ସବୁଠି ବିଶୁଦ୍ଧ ଜଳ ଯୋଗାଣ ଉପରେ ଗୁରୁତ୍ବ ଦେବାକୁ ଦାବି ହେଉଛି ।