ରାଜ୍ୟ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଡାକରା, ଜାତୀୟ ରାଜପଥରେ ଅଟକାଇଲେ ଟ୍ରକ୍

ଭୁବନେଶ୍ୱର: ଷ୍ଟିୟରିଂଛାଡ଼ ଆନ୍ଦୋଳନ ଡାକରା ଦେଇଛି ରାଜ୍ୟ ଡ୍ରାଇଭର ମହାସଂଘ । ଆନ୍ଦୋଳନକୁ ସବୁଠି ବିରୋଧ କରାଯାଉଛି । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ, ଓଡ଼ିଶା ଟ୍ରକ ମାଲିକ ମହାସଂଘ ଆନ୍ଦୋଳନକୁ ସମର୍ଥନ କରିନାହାନ୍ତି । ରାଜ୍ୟରେ ପରୀକ୍ଷା ଚାଲିଥିବା ବେଳେ ଏଭଳି ଆନ୍ଦୋଳନ ଉଚିତ ନୁହେଁ ବୋଲି ବସ୍ ମାଲିକ ଓ ଡ୍ରାଇଭର କହିଛନ୍ତି । ଅନ୍ୟପଟେ ଆନ୍ଦୋଳନ ନାଁରେ ଦାଦାଗିରି କରୁଛନ୍ତି ଡ୍ରାଇଭର । ଜାତୀୟ ରାଜପଥରେ ପରିବହନ ସେବାରେ ନିୟୋଜିତ ଟ୍ରକ୍ ଓ ଅନ୍ୟ ଗାଡିକୁ ଅଟକାଇଛନ୍ତି ଡ୍ରାଇଭର । ଫଳରେ ମାଲ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନ ଯୋଗୁ ଅନେକ ଲୋକ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଯେଉଁ ଗାଡି ଗୁଡିକ ଯାତାୟାତ କରୁଛି ସେଗୁଡିକୁ ଜୋର ଜବରଦସ୍ତ ଅଟକାଯାଉଛି ।

ଧର୍ମଘଟ ନାଁରେ ବିଶୃଙ୍ଖଳା କରିବା ଠିକ ନୁହେଁ । ଅନଲାଇନ କ୍ୟାବ୍ ଓ ଅଟୋ ମହାସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି । ସେହିପରି ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମଧ୍ୟ ଆନ୍ଦୋଳନକୁ ମଧ୍ୟ ବିରୋଧ କରିଛି । ଗାଡ଼ି ଚଳାଚଳରେ କେହି ବାଧାଦେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଲୋକମାନେ ଅସୁବିଧାର ସମ୍ମୁଖୀନ ହେଲେ ପୋଲିସକୁ ଅଭିଯୋଗ କରିପାରିବେ । ଭୁବନେଶ୍ବରରେ ଅତିରିକ୍ତ ସୁରକ୍ଷା ଦାୟିତ୍ବରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୪୦ ଅଫିସର ମୁତୟନ ହୋଇଛନ୍ତି ।