spot_img

Latest Posts

କାମ ଦେଉନି ମଧ୍ୟାହ୍ନ ଭୋଜନ, ହାତଧୁଆ ପରି କାର୍ଯ୍ୟକ୍ରମ, ରାଜ୍ୟରେ ବଢୁଛି ଡ୍ରପ ଆଉଟ ହାର

କାମ ଦେଉନି ମଧ୍ୟାହ୍ନ ଭୋଜନ, ହାତଧୁଆ ପରି କାର୍ଯ୍ୟକ୍ରମ, ରାଜ୍ୟରେ ବଢୁଛି ଡ୍ରପ ଆଉଟ ହାର

ନନ୍ଦିଘୋଷ ବ୍ୟୁରୋ: ସ୍କୁଲରେ କମୁଛି ଉପସ୍ଥାନ, ବଢୁଛି ଡ୍ରପ ଆଉଟ ହାର । ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ ଡ୍ରପ ଆଉଟ ହାର କମାଇବାକୁ ଆବାସିକ ବିଦ୍ଯାଳୟଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ବ୍ଯବସ୍ଥା ସବୁ କିଛି ସରକାରୀ ସ୍ତରରେ କରାଯାଇଛି । ତଥାପି ଏଥିରେ ସୁଧାର ଆସୁନି । ରାଜ୍ଯସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଦେଇଥିବା ତଥ୍ଯ ଅତ୍ୟନ୍ତ ଉଦବେଗଜନକ । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ଯମିକ ଶ୍ରେଣୀ ସବୁଠି ସଙ୍କଟଜନକ ସ୍ଥିତି ।

ସ୍କୁଲରେ କମୁଛି ଉପସ୍ଥାନ । ପୂର୍ବ ସରକାର ସମୟରେ ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ଡ୍ରପ ଆଉଟ ହାର ୧୨.୮୦ ପ୍ରତିଶତ ଥିବାବେଳେ ୨୦୨୪-୨୫ ଶିକ୍ଷାବର୍ଷରେ ଏହା ବୃଦ୍ଧି ପାଇ ୧୪.୯୬ ପ୍ରତିଶତରେ ପହଞ୍ଚିଛି । ବିଶେଷକରି ମାଧ୍ୟମିକ ଶ୍ରେଣୀରେ ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ପାଠ ଛାଡୁଥିବା ଦେଖାଯାଉଛି । ସରକାରଙ୍କ ଲୋଭନୀୟ କାର୍ଯ୍ୟକ୍ରମ ମଧ୍ୟ ପିଲାଙ୍କୁ ସ୍କୁଲ ଭିଡିବାକୁ ଅସମର୍ଥ । ଆଦିବାସୀ ଅଞ୍ଚଳରେ ସରକାରୀ ବୃତ୍ତି ପ୍ରଦାନରେ ଟାଳଟୁଳ ନୀତିର ପ୍ରଭାବ ପଡିଥିବା ଅଭିଯୋଗ ହୋଇଛି । ଖୋଦ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ସଂସଦରେ ପ୍ରଦାନ କରିଛନ୍ତି ।

ଓଡ଼ିଶାରେ ଡ୍ରପ ଆଉଟ ସଂକ୍ରାନ୍ତରେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏକ ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଦେଇଥିବା ତଥ୍ଯ ଅତ୍ୟନ୍ତ ଉଦବେଗଜନକ । କେବଳ ମାଧ୍ୟମିକ ବା ଉଚ୍ଚ ପ୍ରାଥମିକ ଶ୍ରେଣୀ ନୁହେଁ, ପ୍ରାଥମିକ ଶ୍ରେଣୀରେ ଡ୍ରପ ଆଉଟ ସଂଖ୍ୟା ନାମମାତ୍ର ରହିଥିଲା । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୪ଟି ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟରେ ଡ୍ରପଆଉଟ ଅନୁପାତ ଥିଲା ଶୂନ । ଅନ୍ୟ ୯ଟି ଜିଲ୍ଲାରେ ଏହି ସଂଖ୍ୟା ୧ ପ୍ରତିଶତରୁ କମ ରହିଥିଲା । ଅବଶିଷ୍ଟ ଜିଲ୍ଲାର ବିଦ୍ୟାଳୟରେ ଏହି ଅନୁପାତ ୧%ରୁ ୨% ମଧ୍ୟରେ ସୀମିତ ରହିଥିଲା । ମାତ୍ର ୨୦୨୪-୨୫ ଶିକ୍ଷାବର୍ଷରେ ରାଜ୍ୟର ସବୁ ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟରେ ଡ୍ରପଆଉଟ ସଂଖ୍ୟା ବୃଦ୍ଧି ପାଇଛି । କିଛି ଜିଲ୍ଲାରେ ଏହି ସଂଖ୍ଯା  ୩%ରେ ବି ପହଞ୍ଚିଛି । ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରପ ଆଉଟ ହାର ୨% ଥିଲା । ମାତ୍ର ୨୦୨୪-୨୫ ଶିକ୍ଷାବର୍ଷରେ ଏହା ପୁଣି ୩.୨୪ରେ ପହଞ୍ଚିଛି ।

ଗୁରୁତବପୂର୍ଣ୍ଣ କଥା ହେଲା ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଡପ ଆଉଟ ହାର ସର୍ବାଧିକ ରହିଛି । ୨୦୨୨-୨୩ରେ ୧୨.୮୦ ପ୍ରତିଶତ ଥିବାବେଳେ ୨୦୨୪-୨୫ରେ ଏହା ଉପରମୁହାଁ ହୋଇ ୧୪.୯୬ ପ୍ରତିଶତରେ ପହଞ୍ଚିଯାଇଛି । ଅନୁଗୋଲରେ ଏହି ପରିମାଣ ୨୦ ପ୍ରତିଶତ ଅତିକ୍ରମ କରିଛି । ଭଦ୍ରକରେ ୨୧.୮୫%, ବୌଦ୍ଧରେ ୨୩.୮୨%, ଗଜପତିରେ ୨୧%, ଝାରସୁଗୁଡାରେ ୨୦.୨୫%, କେନ୍ଦୁଝରରେ ୨୨.୧%, କୋରାପୁଟରେ ୨୧.୪୭%, ମାଲକାନଗିରିରେ ୨୧.୨୭%, ନବରଙ୍ଗପୁରରେ ୨୯.୬୫%, ନୂଆପଡ଼ାରେ ୨୩.୧୭%, ରାୟଗଡ଼ାରେ ୨୦.୧୮%, ମାଧ୍ୟମିକ ପିଲା ଅଧାରୁ ପାଠ ଛାଡିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥ୍ୟ ପ୍ରଦାନ କରିଛନ୍ତି ।

Latest Posts

Don't Miss