ଲାତ ମାରି ୮ ବର୍ଷର ପୁଅକୁ ମାରିଦେଲା ନିଶାଶକ୍ତ ମାଆ !

କାଲିମେଳା: ମଦ ନିଶା ଉଜାଡି ଦେଲା ସଂସାର । ମାତାଲ ଅବସ୍ଥାରେ ପୁଅକୁ ମାରି ଦେଲା ମାଆ । ଯେଉଁ ପୁଅକୁ ୯ ମାସ ଗର୍ଭରେ ଧରି ସବୁ କଷ୍ଟ ସହି ତାକୁ ଦୁନିଆ ଦେଇଥିଲା, ତାଲ ତାରି ସେହି ପୁଅକୁ ଜୀବନ ନେଇଗଲା । ମଦ ନିଶା ମାଆକୁ ବନାଇଲା ରାକ୍ଷସୀ । ଏମିତି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡ଼ା ଗାଁରୁ ।

ମୃତ ବାଳକ ରୋହିତ ପଡିଆମୀଙ୍କ ସମ୍ପର୍କରେ ବାପା ମୁକା ପଡିଆମୀ ଗାଁ ଲୋକଙ୍କୁ ଖବର ଦେବା ସହ ପୋଲିସକୁ ଜଣାଇଥିଲେ । ଏତଲା ମିଳିବା ପରେ ପୋଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ମୁକାଙ୍କ ପତ୍ନୀ ଓ୍ବାଗି ପଡିଆମୀ ପ୍ରତିଦିନ ମଦ ନିଶାରେ ବିଶୃଙ୍ଖଳା ସୃଷ୍ଟି କରୁଥିଲେ । ଏପରିକି ୮ ବର୍ଷର ପୁଅ ରୋହିତଙ୍କୁ ପ୍ରତିଦିନ ମାରଧର କରୁଥିଲେ । ଶନିବାର ରାତି ପ୍ରାୟ ୧୧ଟା ସମୟରେ ମଦ ନିଶାରେ ରୋହିତଙ୍କୁ ଲାତ, ଗୋଇଠା ମାରିବା ସହ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ପିଲାଟିର ଜୀବନ ଚାଲି ଯାଇଥିଲା । ଘଟଣା ସମ୍ପର୍କରେ ରବିବାର ସକାଳେ ଗ୍ରାମବାସୀ ଜାଣିବା ପରେ ଓ୍ବାର୍ଡ ମେମ୍ବରଙ୍କୁ ଖବର ଦେଇଥିଲେ । ପରେ ସମସ୍ତେ ମିଶି ଏନେଇ ପୋଲିସକୁ ଖବର ଦେଇଥିଲେ ।