ମଣିପୁରରେ ଥମୁନି ଉତ୍ତେଜନା, ଅସ୍ଥିରତା ପଛରେ ଅଫିମ ଚାଷର ଲିଙ୍କ୍

1 min read

ଇମ୍ଫାଲ: ମଣିପୁରରେ ଚାଲିଥିବା ହିଂସା ପଛରେ ମାଦକ ଦ୍ରବ୍ୟ ବ୍ୟବସାୟର ପ୍ରମୁଖ ଭୂମିକା ରହିଛି । ରାଜ୍ୟରେ ବେଆଇନ ଅଫିମ ଚାଷ ବଢୁଥିବା ବେଳେ କେବଳ ୨୦୨୨-୨୩ରେ ୪ ହଜାରରୁ ଅଧିକ ଏକର ଅଫିମ ଚାଷ ନଷ୍ଟ କରାଯାଇଛି । ତେବେ ଏହି ବେଆଇନ ଅଫିମ ଚାଷ ହିଁ କୁକୀ ଓ ମେଇତିଙ୍କ ମଧ୍ୟରେ ସଂଘର୍ଷର ମୂଳ କାରଣ ବୋଲି କୁହାଯାଇଛି । ଯଦିଓ କୁକୀମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି କୁହାଯାଉଛି ତଥାପି ଅଫିମ ଚାଷ ହିଁ ଏହି ବିବାଦର ମୂଳ କାରଣ ରହିଛି । ଚଳିତ ହିଂସାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କୁକୀ ବହୁଳ ଚୁରାଚାନ୍ଦପୁର । ସେହି ଅଞ୍ଚଳରେ ମେଇତିଙ୍କୁ ଟାର୍ଗେଟ କରାଯାଉଛି । ଅଫିମ ଚାଷ ଲାଗି ବହୁ ଜଙ୍ଗଲ ନଷ୍ଟ କରାଯାଉଛି । ସେଠାରେ ମେଇତିମାନଙ୍କ ବାସସ୍ଥଳୀକୁ ଜାଳି ଦିଆଯାଉଛି । କୁକୀମାନେ ଏହି ହିଂସାକାଣ୍ଡ ଘଟାଇବା ସହ ଅଫିମ ଚାଷକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି ।

ସ୍ଥାନୀୟ ବିଜେପି ବିଧାୟକମାନେ କୁକୀମାନଙ୍କୁ ସମର୍ଥନ କରିବା ଦେଖାଯାଉଛି । ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂ ଜଣେ ମେଇତି ହୋଇଥିବାରୁ ତାଙ୍କୁ କୁକୀମାନେ ବିରୋଧ କରିବା  ସ୍ବାଭାବିକ । ଏହା ସହ ଅଫିମ ଚାଷ ନଷ୍ଟ ଲାଗି ସେ ଦେଇଥିବା ନିର୍ଦ୍ଦେଶକୁ କୁକୀମାନେ ନିଜ ସମ୍ପ୍ରଦାୟ ବିରୋଧରେ ଏକ ପଦକ୍ଷେପ ବୋଲି ବିଚାର କରୁଛନ୍ତି । ପୁଣି ମେଇତିମାନେ ହିନ୍ଦୁ ହୋଇଥିବାବେଳେ ସେମାନେ ନିଜକୁ ଆଦିବାସୀ ମାନ୍ୟତା ଦାବି କରିବା ଯୋଗୁ ପ୍ରକୃତ ଆଦିବାସୀମାନେ କ୍ଷୁବ୍ଧ ହୋଇଛନ୍ତି । କୁକୀ ଓ ନାଗାମାନେ ଖ୍ରୀଷ୍ଟଧର୍ମାଲମ୍ବୀ ହୋଇଥିବାବେଳେ ସେମାନେ ସମସ୍ତ ପାର୍ବତ୍ୟାଞ୍ଚଳରେ ସଂଖ୍ୟା ଗରିଷ୍ଠ ରହିଛନ୍ତି । ତେଣୁ ସେମାନେ ମେଇତିଙ୍କୁ ବିରୋଧ କରିବା ସ୍ବାଭାବିକ । ପୁଣି ମେଇତିମାନେ ପ୍ରକୃତରେ ଆଦିବାସୀ ଥିଲେ ଏବଂ ଅଷ୍ଟାଦଶ ଶତାବ୍ଦୀରେ ସେମାନେ ହିନ୍ଦୁ ଧର୍ମରେ ଦୀକ୍ଷିତ ହୋଇଥିବା କାରଣରୁ ସେମାନେ ନିଜକୁ ଆଦିବାସୀ ବୋଲି ଏବେ ଦାବି କରୁଛନ୍ତି ।