କେନ୍ଦ୍ର ଲଗାଉନି ILS ମେସିନ, ରାଉରକେଲାରୁ ଉଡ଼ି ପାରୁନି ବିମାନ

1 min read

ରାଉରକେଲା: ରାଉରକେଲା ବିମାନ ବନ୍ଦର ବିକାଶ ପାଇଁ କେନ୍ଦ୍ରର ଅବହେଳା ପୁଣି ପଦାରେ ପଡ଼ିଛି । ବିମାନ ଵନ୍ଦରରେ ଆଇଏଲଏସ ମେସିନ ଲଗାଯାଉ ନଥିବାରୁ ବାରମ୍ବାର ବିମାନ ସେବା ବାତିଲ ହେଉଛି । ସାମାନ୍ୟ ପାଗ ଖରାପ ହେଲେ ବିମାନ ଉଡ଼ାଣ ଭରି ପାରୁନାହିଁ । ଫଳରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ଏପରି ସ୍ଥିତିରେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମହଲରେ ଧନ୍ୟବାଦ ଜଣାଯାଇଛି ।

ଡିସେମ୍ବର ୨୬ ଓ ୨୮ ତାରିଖ ରାଉରକେଲାରୁ କୋଲକତା ବିମାନ ସେବା ଆରମ୍ଭ ହେବାକୁ ଥିଲେ ମଧ୍ୟ କୁହୁଡି ଯୋଗୁଁ ସେବା ବାତିଲ । କେନ୍ଦ୍ର ଅବହେଳା ପରେ ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହରେ ୩ ଦିନ କୋଲକାତାକୁ ବିମାନ ସେବା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ କେନ୍ଦ୍ର ସରକାରଙ୍କ ଆଇଏଲଏସ ମେସିନ ଲଗାଇ ନଥିବାରୁ ବିମାନ ବାତିଲ ହେଉଥିବା ଅଭିଯୋଗ ହୋଇଛି ।

ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ ପାଇଁ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଲୋକେ । ବିମାନ ବନ୍ଦରର ଉନ୍ନତିକରଣ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଏକ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ରାଉରକେଲା ବିମାନ ବନ୍ଦରକୁ 3-C କାଟାଗୋରୀ କରାଯାଇ ବିମାନ ବନ୍ଦର ଭିତ୍ତିଭୂମିର ବିକାଶ କରିବା, ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ରାଉରକେଲା ବିମାନ ବନ୍ଦରରୁ କୋଲକାତା, ଭୁବନେଶ୍ବର ସହିତ ଦେଶର ବିଭିନ୍ନ ସ୍ଥାନକୁ ଦୈନିକ ନିୟମିତ ବିମାନ ଚଳାଚଳ ପାଇଁ ନିବେଦନ କରିଛନ୍ତି ଯାତ୍ରୀ ।