ପୁରୀରେ ଆରମ୍ଭ ହେଲା ଶାରଦୀୟ ପୂଜା ପ୍ରସ୍ତୁତି: ଶ୍ରୀନଅରରେ ଗୁଆ, ନଡ଼ିଆ ଓ ବସ୍ତ୍ରଦାନ କରି ବ୍ରାହ୍ମଣ ବରଣ କଲେ ଗଜପତି ମହାରାଜା

ନନ୍ଦିଘୋଷ ବ୍ୟୁରୋ: ପୁରୀରେ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ଶୋଳପୂଜା । ଗଜପତିଙ୍କ ଶ୍ରୀନହରରେ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରି ଦୁର୍ଗାପୂଜାର ଶୁଭାରମ୍ଭ କରିଛନ୍ତି ।  ୧୬ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡ଼ିଆ ପ୍ରଦାନ କରିଥିଲେ । ସେପଟେ ଶ୍ରୀମନ୍ଦିରରେ ଆଜି ମୂଳାଷ୍ଟମୀ ସହ ଶହସ୍ର କୁମ୍ଭାଭିଷେକ ନୀତି ସହ ଆରମ୍ଭ ହୋଇଛି ଦୁର୍ଗାମାଧବ ଉପାସନା ।

ମୁଳାଷ୍ଟମୀ ଅବସରରେ ପୁରୀରେ ଆରମ୍ଭ ହୋଇଛି ଷୋଳପୂଜା ବିଧି । ଗଜପତିଙ୍କ ଶ୍ରୀନଅରରେ ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଷୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କରାଯାଇଛି । ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ରାଜଗୁରୁ ସ୍ତ୍ରୋତ୍ରୀୟ ବ୍ରହ୍ମଣ, ମୁକ୍ତିମଣ୍ଡପ ବ୍ରହ୍ମଣ ଓ ଶାସନ ବ୍ରାହ୍ମଣଙ୍କୁ ଡାକି ବରଣ କରିବା ସହ ବସ୍ତ୍ର ଦାନ କରି ବିଭିନ୍ନ ପୀଠରେ ନିଯୁକ୍ତ କରିଛନ୍ତି । ଏହି ଆଚାର୍ଯ୍ୟମାନେ ଆଜିଠାରୁ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ତିପାଠ, ଦୁର୍ଗା ଆରାଧନା କରିବେ । ଆଶ୍ବିନ ମାସ କୃଷ୍ଣପକ୍ଷଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଚାଲିବ ପୂଜାର୍ଚ୍ଚନା ।

ଶ୍ରୀକ୍ଷେତ୍ରର ଅଧିଶ୍ବରୀ ମାଆ ବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ଆରମ୍ଭ ହୋଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୂବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣ କାଳୀ, ଅଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ବିଧି ବିଧାନରେ ଆରମ୍ଭ ହୋଇଛି ଷୋଳପୂଜା । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ମାଆ ଦୁର୍ଗାଙ୍କ ସ୍ବର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ କରିଛନ୍ତି । ମାଆ ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ମାଜଣା ମଣ୍ଡପରେ ଠାକୁରାଣୀଙ୍କ ଶହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଛି ।

ଶାରଦୀୟ ପୂଜାପାଇଁ ଶ୍ରୀକ୍ଷେତ୍ରରେ ଏବେ ଠାରୁ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ବିଶେଷ କରି ଏହି ସମୟରେ ଦୁର୍ଗାମାଧବ ଉପାସନା ସହ ଗୁପ୍ତ ଗୁଣ୍ତିଚାର ବିଧି ମଧ୍ୟ ଆରମ୍ଭ କରାଯିବ ।