spot_img

Latest Posts

ପାର୍ବଣ ଆରମ୍ଭରୁ ରାଜଧାନୀରେ ଟ୍ରାଫିକ ଟେନସନ୍

ଭୁବନେଶ୍ୱର : ପାର୍ବଣ ଆରମ୍ଭରୁ ରାଜଧାନୀରେ ଟ୍ରାଫିକ ଜାମ୍ । ପ୍ରବଳ ଭିଡ଼ରେ ଫସି ରହୁଛି ଆମ୍ବୁଲାନ୍ସ । ବାମ ପାର୍ଶ୍ୱକୁ ମାଡ଼ି ରହୁଛନ୍ତି ଅମାନିଆ ଡ୍ରାଇଭର । ରାସ୍ତାରେ ମିଶିଗଲାଣି ଆମ୍ବୁଲାନ୍ସ କରିଡର । ପାର୍ବଣ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରରେ ମୁଣ୍ଡ ଟେକିଲାଣି ଟ୍ରାଫିକ ସମସ୍ୟା। ମୁଖ୍ୟ ରାସ୍ତା , ପ୍ରମୁଖ ଛକ ସମେତ ଜାତୀୟ ରାଜପଥରେ ଗାଡି ଗୁଡିକର ଲମ୍ବା ଲାଇନ୍ । ଫଳରେ ହନ୍ତସନ୍ତ ହେଉଛନ୍ତି ରାଜଧାନୀ ବାସିନ୍ଦା । ସବୁଠାରୁ ଅଧିକ ଚିନ୍ତାର କାରଣ ପାଲଟିଛି ଭିଡ଼ ଭିତରେ ଘଣ୍ଟା ଘଣ୍ଟା ଧରି ଫସିରହୁଛି ଆମ୍ବୁଲାନ୍ସ । ମୁଖ୍ୟତଃ ଭୁବନେଶ୍ୱରରୁ ଗୁରୁତର ରୋଗୀ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥାଏ। ତେବେ ଭୁବନେଶ୍ୱରରୁ କଟକ ବଡ଼ ମେଡିକାଲରେ ରୋଗୀଙ୍କୁ ପହଞ୍ଚାଇବାକୁ ଡ଼୍ରାଇଭର ମାନଙ୍କୁ ମୁଖ୍ୟତଃ ୩୦ ମିନିଟରୁ ୪୫ମିନିଟ୍ ସମୟ ଲାଗିଥାଏ । କିନ୍ତୁ ପାର୍ବଣ ଆରମ୍ଭରୁ ଦେଖା ଦେଇଥିବା ଟ୍ରାଫିକ ଭିଡ଼ ପାଇଁ ଆମ୍ବୁଲାନ୍ସ ଗୁଡିକୁ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଲାଗୁଛି । ଏପରିକି ପ୍ରବଳ ଭିଡ଼ ସତ୍ତ୍ୱେ ମଧ୍ୟ କିଛି ଅମାନିଆ ଗାଡ଼ି ଚାଳକ ଆମ୍ବୁଲାନ୍ସକୁ ସାଇଡ ଦେଉନଥିବା କହିଛନ୍ତି ଆମ୍ବୁଲାନ୍ସ ଡ଼୍ରାଇଭର । ଫଳରେ କିଛି ସମୟରେ ଆମ୍ବୁଲାନ୍ସ ଚାଳକ ବାଧ୍ୟ ହୋଇ ରଙ୍ଗ ରୁଟରେ ଯାଉଛନ୍ତି।

ଭିଡ଼ ଭିତରୁ ସହଜରେ ଆମ୍ବୁଲାନ୍ସ ଗୁଡ଼ିକ ବାହାରିବା ପାଇଁ ପ୍ରମୁଖ ଛକ ମାନଙ୍କରେ ହୋଇଥିବା ଆମ୍ବୁଲାନ୍ସ କରିଡ଼ରକୁ ରାସ୍ତାରେ ମିଶାଇ ସାରିଛନ୍ତି ଅମାନିଆ ଡ୍ରାଇଭର। ଫାୟାର ଷ୍ଟେସନ, ସିଆରପିଏଫ୍ ଛକ, ନୟାପଲ୍ଲୀ, ଜୟଦେବ ବିହାର, ଏଜି ଛକ ଭଳି ଅଧିକ ଭିଡ଼ ରହୁଥିବା ଛକ ମାନଙ୍କରେ ରାସ୍ତାରେ ଆଉ ଆମ୍ବୁଲାନ୍ସ କରିଡର୍ ଦିଶୁନି । କେଉଁଠି କେବଳ ନଟ ବଲ୍ଟୁ ରହି ଯାଇଛି ତ ଆଉ କେଉଁଠାରେ ପ୍ଲାଷ୍ଟିକ ବୋଲାର୍ଡ୍ ରାସ୍ତାରେ ମିଶି ଯାଇଛି । ତେବେ ଦଶହରା ସମୟରେ ଅମାନିଆ ଡ୍ରାଇଭର ମାନଙ୍କ ଉପରେ ନଜର ରଖିବାକୁ ୭୩ ପୋଲିସ ଅଫିସରଙ୍କ ସହ ୧୫ ପ୍ଲାଟୁନ୍ ପୁଲିସ୍ ମୁତୟନ କରିବାକୁ କହିଛନ୍ତି ଟ୍ରାଫିକ ଏସିପି ଉମାକାନ୍ତ ପ୍ରଧାନ।

କେବଳ ପାର୍ବଣ ସମୟ ନୁହେଁ , ଟ୍ରାଫିକ  ଅମାନିଆଙ୍କ ପାଇଁ ବାରମ୍ବାର ଦଣ୍ଡ ବିଧାନ ଆସୁଥିଲେ ମଧ୍ୟ ବର୍ଷର ଅନ୍ୟ ସମୟ ମାନଙ୍କରେ ଏଭଳି ସମସ୍ୟା ଦେଖିବାକୁ ମିଳେ। ଯାହା ଗୁରୁତର ରୋଗୀ ମାନଙ୍କ ଜୀବନ ବଞ୍ଚାଇବା କ୍ଷେତ୍ରରେ ବଡ଼ କାରଣ ସାଜୁଛି ।

Latest Posts

Don't Miss