ଭୋଟ ଚୋରି ପ୍ରସଙ୍ଗ ; ଆଜି ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ : ଭୋଟ ଚୋରିକୁ ନେଇ ଚାରିଆଡୁ କଡ଼ା ସମାଲୋଚନା ହେବା ପରେ ଶେଷରେ ବାଧ୍ୟ ହୋଇ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି ନିର୍ବାଚନ କମିଶନ । ଆଜି ନୂଆଦିଲ୍ଲୀରେ ଏହି ପ୍ରେସ୍ କନଫରେନ୍ସ ହେବ। ଏଥିରେ ଭୋଟ ଚୋରି ଅଭିଯୋଗ ସଂପର୍କରେ ସମସ୍ତ ସ୍ପଷ୍ଟୀକରଣ ରଖିପାରନ୍ତି ନିର୍ବାଚନ କମିଶନ । ପ୍ରତିଦିନ ତଥ୍ୟ ସହିତ ରାହୁଲ ଗାନ୍ଧିଙ୍କ ଅଭିଯୋଗକୁ ନେଇ ଅଡୁଆରେ ପଡ଼ିଛନ୍ତି ନିର୍ବାଚନ କମିଶନ । ୨୦୨୪ ସାଧାରଣ ନିର୍ବାଚନରେ ବହୁତ ଗଡ଼ବଡ଼ି ହୋଇଥିବା ସେ କହୁଛନ୍ତି । ବିଶେଷ କରି ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକରେ ଏହି ଭୋଟ୍ ଚୋରି ହୋଇଛି ।

କର୍ଣ୍ଣାଟକର ମହାଦେବପୁରା ବିଧାନସଭା ଆସନର ଉଦାହରଣ ଦେବା ପରେ ନିର୍ବାଚନର ସ୍ଵଚ୍ଛତା ଓ ନିର୍ବାଚନ କମିଶନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ସେପଟେ ନିର୍ବାଚନ କମିଶନ ସ୍ପଷ୍ଟକରୀଣ ଦେଇଛନ୍ତି, ଭୋଟର ତାଲିକା ପ୍ରସ୍ତୁତିର ସମସ୍ତ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକ ସାମିଲ ଥିଲେ । କେବେବି କୌଣସି ଦଳ ଆପତ୍ତି ଜଣାଇନଥିଲେକି ତ୍ରୁଟି ଦର୍ଶାଇ ନଥିଲେ । ସେତେବେଳେ ଯଦି ଆପତ୍ତି ଉଠାଇଥାନ୍ତେ, ତେବେ ହୁଏତ ତ୍ରୁଟିକୁ ସଂଶୋଧନ କରାଯାଇଥାନ୍ତା । ବିହାରର ଚିଠା ଭୋଟର ତାଲିକା ସମସ୍ତ ଦଳକୁ ପ୍ରଦାନ କରାଯାଇଛି । ୱେବସାଇଟରେ ବି ଅଛି । ଆପତ୍ତି ଦାଖଲ ପାଇଁ ଦିଆଯାଇଛି ମାସେ ସମୟ ।