ଚୀନକୁ ଗୋପନ ତଥ୍ୟ ଯୋଗାଇବା ପଡ଼ିଲା ମହଙ୍ଗା, ରାଜୀବ ଶର୍ମାଙ୍କ ୪୮ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ଚୀନକୁ ଗୋପନ ତଥ୍ୟ ଦେଉଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ଗିରଫ ସାମ୍ବାଦିକ ରାଜୀବ ଶର୍ମାଙ୍କ ୪୮ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଥ ଚାଲାଣ ନିରାକରଣ ଆଇନ ଅନୁସାରେ ନୂଆଦିଲ୍ଲୀସ୍ଥିତ ପୀତମପୁରାସ୍ଥିତ ରାଜୀବଙ୍କ ଆବାସିକ ସମ୍ପତ୍ତିକୁ ଇଡି ଜବତ କରିଛି । ଆଇପିସିର ବିଭିନ୍ନ ଧାରା ଓ ସରକାରୀ ଗୋପନୀୟତା ଆଇନ ଅନୁସାରେ ଗୁଇନ୍ଦାଗିରି ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ମାମଲା ଦାୟର କରିଥିଲା । ଦୀର୍ଘଦିନ ଧରି ରାଜୀବ ଚୀନର ଗୁଇନ୍ଦା ଅଧିକାରୀଙ୍କୁ ଦେଶର ନିରାପତ୍ତା ଓ ଜାତୀୟ ସ୍ୱାର୍ଥ ସମ୍ବଳିତ ସ୍ପର୍ଶକାତର ତଥ୍ୟ ଯୋଗାଇ ଆସୁଥିଲେ ।

ଏହି ବାବଦରେ ସେ ଅର୍ଥ ଲାଭ କରୁଥିବା ନେଇ ଅଭିଯୋଗ ହୋଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ, ଚୀନର ଝାଙ୍ଗ ଚେଙ୍ଗ ଓରଫ ସୂରଜ, ଝାଙ୍ଗ ଲେକ୍ସିଆ ଓରଫ ଉଷା ଓ କ୍ୱିଙ୍ଗ ସି ନାମକ ୩ ଜଣ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ଏକ ତଥାକଥିତ କମ୍ପାନୀ ଜରିଆରେ ଏହି ଅର୍ଥ ରାଜୀବଙ୍କୁ ଦିଆଯାଇଥିଲା । ଅନ୍ୟ ୨ ଜଣ ନେପାଳୀ ନାଗରିକ ମଧ୍ୟ ଏଥିରେ ସମ୍ପୃକ୍ତ ଥିଲେ । ଚୀନର ଗୁଇନ୍ଦା ସଂସ୍ଥାର ସ୍ୱାର୍ଥ ଅନୁସାରେ ଏମାନେ ସମସ୍ତେ ପରିଚାଳିତ ଥିଲେ । ତଥ୍ୟ ବଦଳରେ ରାଜୀବଙ୍କ ଜଣେ ସାଙ୍ଗଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଉଥିଲା କିମ୍ବା ଲୋକଙ୍କ ଜରିଆରେ ଟଙ୍କା ପଠାଯାଉଥିଲା । ରାଜୀବଙ୍କ ଲାଗି ବିଦେଶ ଯାତ୍ରାର ବ୍ୟବସ୍ଥା ବି କରାଯାଉଥିବା ଜଣାଯାଇଛି । ନୂଆଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ଇଡି ଏକ ଚାର୍ଜସିଟ ଦାଖଲ କରିଛି ।

Leave a Reply