କେନ୍ଦ୍ରକୁ ସୁପ୍ରିମ ଝଟକା, ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ବଢ଼ାଇବା ବେଆଇନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଆଉ ଏକ ଝଟକା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ଦୁଇ ଦୁଇଥର ବଢାଇବାକୁ ସୁ୍ପ୍ରିମକୋର୍ଟ ବେଆଇନ୍‌ ବୋଲି କହିଛନ୍ତି । ଏଥିସହ ଆସନ୍ତା ଜୁଲାଇ ୩୧ରେ ଅବସର ନେବାକୁ ଡେଡଲାଇନ ଦେଇଛନ୍ତି । ଇଡିର ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କର ଆସନ୍ତା ନଭେମ୍ବରରେ କାର୍ଯ୍ୟକାଳ ସରିବା କଥା । କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି । ଶୁଣାଣି ସମୟରେ କେନ୍ଦ୍ର ସରକାର ନିଜର ନିଷ୍ପତ୍ତି ସମର୍ଥନରେ ଯୁକ୍ତି ରଖିଥିଲେ ।

ସଞ୍ଜୟ ମିଶ୍ରା ଦେଶ ତଥା ଦେଶ ବାହାରେ ବେଆଇନ ଅର୍ଥନୈତିକ ଗତିବିଧି ଉପରେ ନଜର ରଖୁଛନ୍ତି । ତାଙ୍କର ଦାୟିତ୍ବ ଦେଶର ସୁରକ୍ଷା ଓ ସ୍ବାର୍ଥକୁ ବହନ କରୁଛି । ଏଥିସହ ସଞ୍ଜୟ ମିଶ୍ରା କୌଣସି ରାଜ୍ୟର ଡିଜିପି ନୁହେଁ ଯେ କୋର୍ଟ ତାଙ୍କ ଉପରେ କିଛି ରାୟ ଦେଇପାରିବେ । ସଞ୍ଜୟ ଦେଶ ପାଇଁ ଜାତିସଂଘରେ ମଧ୍ୟ ମତାମତ ରଖନ୍ତି । ତେଣୁ କୋର୍ଟ ଏହି ମାମଲାରୁ ନିଜକୁ ନିବୃତ କରିବା କଥା ।

କିନ୍ତୁ କୋର୍ଟ ସଲିସିଟର ଜେନେରାଲ ତୁଷାର ମେହେତ୍ତାଙ୍କ ଯୁକ୍ତିକୁ ଆଗ୍ରାହ୍ୟ କରିଦେଇଥିଲେ । ନଭେମ୍ବର ୨୦୧୮ରେ ସଞ୍ଜୟ ମିଶ୍ରାଙ୍କୁ ଇଡିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା । ୨୦୨୦ରେ ସେ ଅବସର ନେବା କଥା । କିନ୍ତୁ ପରେ ଦୁଇ ଦୁଇ ଥର ତାଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା । ଯାହାକୁ ବିରୋଧ କରିଥିଲେ ବିରୋଧୀ ଦଳ । ଏଥିସହ ଇଡିକୁ ବ୍ୟବହାର କରି ରାଜନୈତିକ ଦଳକୁ ଟାର୍ଟେଟ କରାଯାଉଥିଲା ବୋଲି ରାଜନୈତିକ ଦଳ ଅଭିଯୋଗ କରିଥିଲେ ।