ମନ୍ତ୍ରୀଙ୍କ ସହଯୋଗୀଙ୍କ ଘରୁ ମିଳିଲା ୨୦ କୋଟି, ଗଣିଗଣି ହାଲିଆ ଇଡି

କୋଲକାତା: କୁଆଡୁ ଆସିଲା ଗଦାଗଦା ଟଙ୍କା । କିଏ ଏହି ୨୦କୋଟି ଟଙ୍କାର ମାଲିକ  । ପଶ୍ଚିମବଙ୍ଗର ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ଚାଟାର୍ଜୀଙ୍କ ଘରୁ ଏହି ଟଙ୍କା ଜବତ ଘଟଣାରେ ତନାଘନା କରୁଛି ଇଡି  । ଗତକାଲି ଘର ଭିତରୁ ନଗଦ ୨୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା ।

ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଓ ପ୍ରାଥମିକ ଶିକ୍ଷା ବୋର୍ଡରେ ଦୁର୍ନୀତି ନେଇ ଦୀର୍ଘଦିନରୁ ଅଭିଯୋଗ ହୋଇଆସୁଥିଲା  । ପାର୍ଥ ରାଜ୍ୟର ଶିକ୍ଷା ମନ୍ତ୍ରୀ ଥିବାବେଳେ ଏସବୁ ଦୁର୍ନୀତି ହୋଇଥିବା ଇଡି ଜାଣିବାକୁ ପାଇଛି । ଏନେଇ ପାର୍ଥଙ୍କ ଅଫିସ, ଘର ସମେତ ମୋଟ ୧୩ଟି ସ୍ଥାନରେ ଚଢାଉ କରାଯାଇଥିଲା । ଶେଷରେ ତାଙ୍କ ସହଯୋଗୀ ଅର୍ପିତାଙ୍କ ଘର ଖାନତଲାସୀ କରିଥିଲେ ଇଡି ଅଧିକାରୀ  ।

ଏହି ସମୟରେ ଅର୍ପିତାଙ୍କ ଘରେ ବିଡ଼ା ବିଡ଼ା ୨ ହଜାର ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ ଗଦା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅଧିକାରୀ। ଏସବୁ ଟଙ୍କା ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ସଂଗ୍ରହ କରାଯାଇଥିବା ଜଣାପଡିଛି  । ଏହି ଘଟଣାର ତଦନ୍ତ ସିବିଆଇ ମଧ୍ୟ କରୁଛି । ଗତ ମେ ମାସରେ ସିବିଆଇ ମାମଲାରେ ପାର୍ଥଙ୍କୁ ପଚରାଉଚୁରା କରିଥିଲା । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହି ମାମଲାର ତଦନ୍ତ କରୁଛି ।

ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ବା ଏସଏସସିରେ ହୋଇଥିବା ନିଯୁକ୍ତି କେଳେଙ୍କାରି ୨୦୧୪ରୁ ୨୦୧୬ ମଧ୍ୟରେ ହୋଇଥିଲା । କମ ମାର୍କ ରଖିଥିବା ପ୍ରାର୍ଥୀମାନେ ଲାଞ୍ଚ ଦେଇ ଚାକିରି ପାଇଥିବା ଅଭିଯୋଗ ହୋଇଥିଲା  ।