spot_img

Latest Posts

ଆଣ୍ଠେଇ ପଡ଼ିଲାଣି ଶିକ୍ଷା ବ୍ୟବସ୍ଥା ; ଭିତ୍ତିଭୂମି ଅଭାବରୁ ବାରଣ୍ଡାରେ ଚାଲିଛି ପାଠପଢା

ନନ୍ଦିଘୋଷ ବ୍ୟୁରୋ : ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଆଣ୍ଠେଇ ପଡି଼ଲାଣି ଶିକ୍ଷା ବ୍ୟବସ୍ଥା । ବ୍ଲକର ବିଭିନ୍ନ ସ୍କୁଲରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନାହିଁ । ଫଳରେ ଖରା, ବର୍ଷା ଓ ଶୀତକୁ ଖାତିର ନକରି ପିଲା ବାରଣ୍ଡାରେ ବସି ପାଠ ପଢୁଛନ୍ତି । ହେଲେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

କାନ୍ଥରୁ ଝଡ଼ି ପଡିଲାଣି ଇଟା । ପଦାକୁ ରଡ଼ ଜଳଜଳ ହୋଇ ଦେଖାଗଲାଣି । ଏ ହେଉଛି ଭଦ୍ରକ ବାସୁଦେବପୁର ବ୍ଲକ ବିନୋବାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ସ୍କୁଲରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନାହିଁ । ତିନୋଟି ଶ୍ରେଣୀ ଗୃହରେ ଛଅଟି ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବାକି ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ଛାତ୍ରଛାତ୍ରୀ ଖରା, ବର୍ଷା ଓ ଶୀତକୁ ଖାତିର ନକରି ବାରଣ୍ଡାରେ ବସୁଛନ୍ତି । ଅଢୁଆଁ ପଞ୍ଚାୟତ ନନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ବି ଦେଖିବାକୁ ମିଳିଛି ସମାନ ଅବସ୍ଥା । ଶ୍ରେଣୀ ଗୃହ ଅଭାବରୁ କୁନିକୁନି ଛାତ୍ରଛାତ୍ରୀ ମାନେ ବାରଣ୍ଡାରେ ପାଠ ପଢୁଛନ୍ତି ।

ସେହିଭଳି ମନ୍ଦାରୀ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଘରେ ପାଠପଢୁଛନ୍ତି ଛଅ ଗୋଟି ଶ୍ରେଣୀ ପିଲା । ବାସୁଦେବପୁର ବ୍ଲକରେ ୨୭୭ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି । ହେଲେ ଅନେକ ସ୍କୁଲରେ ଲାଗି ରହିଛି ଭିତ୍ତିଭୂମି ସମସ୍ୟା । ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି BEO । ବିଦ୍ୟାଳୟ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଇ ଆବଶ୍ୟକୀୟ ଶ୍ରେଣୀ ଗୃହ ଯୋଗାଇ ଦେବାକୁ ଦାବି ହୋଇଛି ।

Latest Posts

Don't Miss