ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ସ୍କୁଲରେ ୨୫୬ ଜଣ ପିଲା, ପଢାଇବାକୁ ନାହାନ୍ତି ଆବଶ୍ୟକ ଶିକ୍ଷକ
1 min read
ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ସ୍କୁଲରେ ୨୫୬ ଜଣ ପିଲା । ମୋଟ ୯ ଟି ଶ୍ରେଣୀ । ହେଲେ ପଢାଇବାକୁ ନାହାନ୍ତି ଆବଶ୍ୟକ ଶିକ୍ଷକ । ୫ଜଣ ଶିକ୍ଷକରେ ଚାଲିଛି ପାଠପଢ଼ା । ଏ ହେଉଛି ଆସିକା ବ୍ଲକ ଗହଙ୍ଗୁ ଗ୍ରାମର ଭୀମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍କୁଲର ବଡ ସମସ୍ୟା ହେଉଛି ଶିକ୍ଷକ ଅଭାବ । ଗୋଟିଏ କ୍ଲାସରେ ପାଠ ପଢ଼ାହେଲେ ଅନ୍ୟ କ୍ଲାସ ପିଲା ଖାଲିରେ ବସୁଛନ୍ତି । ଫଳରେ ପିଲlଙ୍କ ପାଠ ପଢାରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଦିନକୁ ପ୍ରାୟ ୩ରୁ୪ଟି କ୍ଳାସ ହୋଇପାରୁଛି । ଅନ୍ୟ ସମୟରେ ପିଲାମାନେ କେବଳ କ୍ଳାସରେ ବସି ବସି ଘରକୁ ଫେରୁଛନ୍ତି।
୧୯୫୦ ମସିହାରୁ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ବାଲବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ୫ ଜଣ ଶିକ୍ଷକରେ କିଭଳି ସବୁ ପିଲାଙ୍କୁ ପାଠ ପଢା ଯାଇପାରିବ ସେଥିପାଇଁ ଗୋଟିଏ କୋଠରୀରେ ୨ଟି ଶ୍ରେଣୀ ପିଲାଙ୍କୁ ବସାଯାଉଛି । ଗୋଟିଏ କୋଠରିରେ ଦୁଇରୁ ତିନୋଟି ଶ୍ରେଣୀ ପିଲା ବସି ପଢିବାରୁ ଶୈକ୍ଷିକ ବାତାବରଣ ଠିକ୍ ରହୁନାହିଁ। ସ୍କୁଲରେ ଶିକ୍ଷକ ଅଭାବ ନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ସ୍ଥାନୀୟ ସରପଞ୍ଚ ବହୁବାର ବ୍ଳକ ଶିକ୍ଷାଧିକାରୀଙ୍କୁ ଜଣାଇଥିବା କହିଛନ୍ତି । ତଥାପି କୌଣସି ସୁଫଳ ମିଳିନି । ଅନ୍ୟପଟେ ଯଥାଶୀଘ୍ର ସ୍କୁଲକୁ ଜଣେ କି ଦୁଇ ଜଣ ଶିକ୍ଷକଙ୍କୁ ପଠାଯିବ ବୋଲି ଭଞ୍ଜନଗର ଉପଜିଲ୍ଲାପାଳ କହିଛନ୍ତି । ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଦାବି ହୋଇଛି । ଶିକ୍ଷକ ଅଭାବରୁ ଯେଭଳି କୌଣସି ପିଲା ପାଠପଢ଼ାରୁ ବଞ୍ଚିତ ନହୁଅନ୍ତି ତାଉପରେ ଗୁରୁତ୍ବ ଦେବା ଆବଶ୍ୟକ ହୋଇପଡ଼ିଛି।