ଇଂଲଣ୍ଡର ବିଶ୍ୱବିଜୟୀ ଅଧିନାୟକ ମୋର୍ଗାନଙ୍କ ଅବସର ଘୋଷଣା

1 min read

ନନ୍ଦିଘୋଷ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଇଂଲଣ୍ଡର ବିଶ୍ୱ ବିଜୟୀ ଅଧିନାୟକ ଇୟନ ମୋର୍ଗାନ  । ଦିନିକିଆରେ ବିଶ୍ୱକପରେ କେବେବି ବିଜୟୀ ହୋଇପାରୁନଥିବା ଇଂଲଣ୍ଡକୁ ୨୦୧୯ରେ ପ୍ରଥମ କପ୍ ଦେଇଥିଲେ ଇଅନ ମୋର୍ଗାନ  ।  ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇବିସି) ମଙ୍ଗଳବାର ଏହାର ସୂଚନା ଦେଇଛି  । ବାମହାତୀ ବ୍ୟାଟ୍ସମ୍ୟାନ ମୋର୍ଗାନ ଗତ ଏକ ବର୍ଷ ହେବ ଫିଟନେସ ଏବଂ ଫର୍ମ ସମସ୍ୟାକୁ ନେଇ ଚିନ୍ତିତ ଥିଲେ । ଗତ ସୋମବାର ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ଆସିଥିଲା କି ମୋର୍ଗାନ ଖୁବଶୀଘ୍ର ସନ୍ୟାସ ଘୋଷଣା କରିବେ  । ଆଉ ଆଜି ସେ ଅବସର ଘୋଷଣା କରିଛନ୍ତି  ।

୩୫ ବର୍ଷୀୟ ମୋର୍ଗାନ ଇଂଲଣ୍ଡ କ୍ରିକେଟ ବୋର୍ଡ ଇସିବିକୁ ନିଜ ଅବସର ସମ୍ପର୍କରେ ବିବୃତି ଦେଇଛନ୍ତି  । ଇସିବିକୁ ଦେଇଥିବା ବିବୃତିରେ କହିଛନ୍ତି, ଅନେକ ବିଚାର ବିମର୍ଶ ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ନିଜ ଅବସର ଘୋଷଣା କରୁଛି  । ସବୁଠାରୁ ପ୍ରିୟ ଖେଳକୁ ଅଲବିଦା କହିବା ସହଜ ନିଷ୍ପତ୍ତି ନଥିଲା  । କିନ୍ତୁ ଅବସର ନେବାର ଏହା ଉପଯୁକ୍ତ ସମୟ  । ନିଜ ୧୩ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ମୋର୍ଗାନ ୨ଟି ଆଇସିସି ଟାଇଟଲ ଜିତିଛନ୍ତି  । ତାଙ୍କ ନେତୃତ୍ୱରେ ଇଂଲଣ୍ଡ କ୍ରିକେଟ ଦଳ ଇତିହାସ ରଚିଥିଲା ଏବଂ ୨୦୧୯ରେ ପ୍ରଥମଥର ଦିନିକିଆରେ ବିଶ୍ୱକପ ବିଜେତା ହେବାର ଗୌରବ ହାସଲ କରିଥିଲା  । ୨୦୧୦ରେ ଟି-୨୦ ବିଶ୍ୱକପ ଜିତିଥିବା ଇଂଲଣ୍ଡ ଦଳର ସଦସ୍ୟ ମଧ୍ୟ ଥିଲେ ମୋର୍ଗାନ  ।

ଇସିବି କହିଛି, ଟି-୨୦ରେ ଇଂଲଣ୍ଡ ପାଇଁ ସବୁଠୁ ଅଧିକ ମ୍ୟାଚ ଖେଳିଥିବା ଏବଂ ସର୍ବାଧିକ ରନ୍ କରିଥିବା ଖେଳାଳି ହେଉଛନ୍ତି ମୋର୍ଗାନ  । ୨୦୧୧ରେ ପ୍ରଥମଥର ପାଇଁ ଇଂଲଣ୍ଡ ଦଳର ନେତୃତ୍ୱ ନେଇଥିଲେ । ଇସିବି ନିଜ ବୟାନରେ କହିଛି ପୁରୁଷ ଦିନିକିୟା ଦଳର ଅଧିନାୟକ ରୂପରେ ମୋର୍ଗାନ ୭ ବର୍ଷ ଦାୟିତ୍ୱ ସମ୍ଭାଳିଛନ୍ତି ଏବଂ ଏହି ସମୟରେ ସେ ଇଂଲଣ୍ଡଙକୁ ଆଇସିସି ବିଶ୍ୱ ରାଙ୍କିଂରେ ଶୀର୍ଷ ପର୍ଯ୍ୟନ୍ତ ପହଞ୍ଚାଇଥିଲେ  । ଏହା ବ୍ୟତୀତ ପ୍ରମୁଖ ଦେଶ ବିରୋଧରେ ଉଲ୍ଲେଖନୀୟ ସିରିଜ ମଧ୍ୟ ଜିତିଛନ୍ତି  ।  ମୋର୍ଗାନ ଆୟରଲ୍ୟାଣ୍ଡ ପାଇଁ ଖେଳି ଡେବ୍ୟୁ କରିଥିଲେ  । ପରେ ଇଂଲଣ୍ଡ  ଦଳ ପକ୍ଷରୁ ଖେଳିଥିଲେ  ।

ମୋର୍ଗାନଙ୍କ ନେତୃତ୍ୱରେ ଟିମ ଇଂଲଣ୍ଡ ୨୦୧୬ ଟି-୨୦ ବିଶ୍ୱକପ ଫାଇନାଲରେ ସ୍ଥାନ ତିଆରି କରିଥିଲେ  । ୨୦୧୭ ଚାମ୍ପିୟନ୍ସ ଟ୍ରଫି ଏବଂ ୨୦୨୧ରେ ଟି-୨୦ ବିଶ୍ୱକପ ସେମିଫାଇନାଲରେ ମଧ୍ୟ ପହଞ୍ଚିଥିଲେ  । ମୋର୍ଗାନ ୨୦୧୫ ବିଶ୍ୱକପ ଠିକ ପୂର୍ବରୁ ଇଂଲଣ୍ଡର ଅଧିନାୟକ ଭାର ସମ୍ଭାଳିଥିଲେ  । ତାଙ୍କୁ ଏଲିୟଷ୍ଟର କୁକଙ୍କ ସ୍ଥାନରେ ଦଳର ଅଧିନାୟକତ୍ୱ ମିଳିଥିଲା  । ଅବଶ୍ୟ, ବିଶ୍ୱକପ ୨୦୧୫ରେ ଟିମର ପ୍ରଦର୍ଶନ ଭଲ ନଥିଲା  । ଏହାପରେ ସେ କୋଚ ଟ୍ରେବର ବୋଲିସଙ୍କ ସହ ଇଂଲଣ୍ଡର ଭାଗ୍ୟ ବଦଳାଇବା ପାଇଁ କାମ କରିଥିଲେ ଏବଂ ୨୦୧୯ରେ ଦିନିକିଆ ବିଶ୍ୱକପ ଜିତିଥିଲେ  । ତାଙ୍କର ଅବସର ଘୋଷଣା ପରେ ତାଙ୍କ ସମର୍ଥକମାନେ ଦୁଃଖର ସହ ବିଦାୟ ଦେଉଛନ୍ତି  । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସମର୍ଥକ ମାନେ ଏପରି ନିଷ୍ପତ୍ତି କାହିଁକି ନେଲେ ବୋଲି ପ୍ରଶ୍ନ କରୁଛନ୍ତି  ।