ବିହାର ପାଟନାରେ ନିର୍ବାଚନ କମିଶନଙ୍କ ଟିମ୍ : ସବୁ ରାଜନୈତିକ ଦଳ ସହିତ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : ବିହାର ପାଟନାରେ ନିର୍ବାଚନ କମିଶନଙ୍କ ଟିମ୍ । ନିଜେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ପାଟନାରେ ପହଞ୍ଚିଛନ୍ତି। ବିହାର ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ଜ୍ଞାନେଶ କୁମାର। ତାଙ୍କ ସହିତ ଅନ୍ୟ ଦୁଇ  ନିର୍ବାଚନ କମିଶନର ସୁଖବୀର ସିଂହ ଓ ବିବେକ ଯୋଶୀ ବି ଅଛନ୍ତି। ଆଜି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟିବେ ନିର୍ବାଚନ କମିଶନ। ସମସ୍ତଙ୍କ ମତାମତ ନେବେ, ଆପତ୍ତି ଅଭିଯୋଗ ଶୁଣିବେ। ଏହା ପରେ ପ୍ରାଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ଏହି ସମୟରେ ରାଜ୍ୟର ପ୍ରାଶାସନିକ ଓ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରାଯିବ। ସମସ୍ତ ଆରଡିସି, ପୋଲିସ ଆଇଜି, ଡିଆଇଜି, ଜିଲ୍ଲାପାଳ, ଏସପିଙ୍କୁ ଭେଟିବେ। ଏହା ପରେ ଆସନ୍ତାକାଲି ନିର୍ବାଚନ କମିଶନଙ୍କ ଟିମ୍ ବିଭିନ୍ନ ସଂସ୍ଥାର ନୋଡାଲ ଅଫିସରଙ୍କୁ ଭେଟିବେ। କେମିତି ମୁକ୍ତ ଓ ଅବାଧ ନିର୍ବାଚନ ହେବ, ବାହୁ ଓ ଅର୍ଥ ବଳ ପ୍ରୟୋଗ ନ ହେବ, ମଦ ଓ ଅନ୍ୟ ମାଦକ ଦ୍ରବ୍ୟ କାରବାର କମିବ ତା ଉପରେ ଆଲୋଚନା କରାଯିବ। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ, କେନ୍ଦ୍ରୀୟ ଫୋର୍ସଙ୍କ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା ହେବ। ତା ପରେ ଶେଷରେ ବିହାରର ମୁଖ୍ୟ ଶାସନ ସଚିବ, ଡିଜିପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ  ଭେଟିବେ ନିର୍ବାଚନ କମିଶନ। କେମିତି ସୁରୁଖୁରୁରେ ନିର୍ବାଚନ କରାଯିବ, ତାହା ହେଉଛି ଫୋକସ୍। ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତାକାଲି ଅପରାହ୍ନ ୨ଟାରେ ନିର୍ବାଚନ କମିଶନ ଏକ ପ୍ରେସମିଟ ମଧ୍ୟ କରିବେ ବୋଲି ଜଣାପଡ଼ିଛି।