ଅସ୍ତବ୍ୟସ୍ତ କରୁଛନ୍ତି ଦନ୍ତା । ଖାଦ୍ୟ ଅନ୍ଵେଷଣରେ ଜନବସତି ମୁହାଁ ହାତୀପଲ । ଗତ ତିନି ମାସ ହେଲା ଗଜପତି ଜିଲ୍ଲା କାଶୀନଗରରେ ଆତଙ୍କ ମଚାଉଛନ୍ତି ଦନ୍ତା । କାଶୀନଗର ବ୍ଳକର ବୁଦୁରା, ଭାନା, ଖିଡିଙ୍ଗା, ଖାଣ୍ଡବା ଆଦି ଅଞ୍ଚଳରେ ଚାରି ଟିକିଆ ହାତୀପଲ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି ଏକର ଫସଲ । ରାସ୍ତାରେ ଯାଉଥିବା ବାଟୋଇଙ୍କ ଗାଡି ବି ଭାଙ୍ଗିଦେଉଛନ୍ତି । ହାତୀଙ୍କ ଚଳପ୍ରଚଳ ପାଇଁ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ ହେଉଛି । ଅନ୍ଧାରରେ ରାତ୍ରିଯାପନ କରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ ।
ଅନେକ ଚାଷୀଙ୍କ ଫସଲ, ଚାଷଜମି ଓ ଘରଦ୍ଵାର ନଷ୍ଟ କରିସାରିଲେଣି ହାତୀପଲ । ହେଲେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ସରକାରଙ୍କର କୌଣସି କ୍ଷତିପୂରଣ ପହଞ୍ଚିପାରିନାହିଁ । କ୍ଷତିଗ୍ରସ୍ତ ଚାଷୀ ସରକାରଙ୍କ ନୀତି ନିୟମ ସମ୍ପର୍କରେ ଅବଗତ ନଥିବାରୁ ସହାୟତା ପାଇପାରୁନଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଚାଷୀ ଅନୁକମ୍ପା ଆପ କିମ୍ବା ଜନସେବା କେନ୍ଦ୍ରରେ ଆବେଦନ କରନ୍ତୁ । ଗୋଟିଏ ସପ୍ତାହ ମଧ୍ୟରେ ସହାୟତା ରାଶି ପାଇପାରିବେ ବୋଲି ଏସିଏଫ କହିଛନ୍ତି । ବନବିଭାଗ କେବେ ହାତୀପଲଙ୍କୁ ସୁରକ୍ଷିତ ଭାବରେ ଅନ୍ୟତ୍ର ଘଉଡାଇବାରେ ସଫଳ ହେଉଛି ? କେବେ ଚାଷୀଙ୍କୁ କ୍ଷତିପୂରଣ ମିଳୁଛି ? ତାକୁ ହିଁ ଅପେକ୍ଷା ।

