ଗୁଳି ମାରିଲେ ବିଲ୍ଡିଂକୁ ଉଡାଇଦେବି, ପୋଲିସକୁ ଏଭଳି ଧମକ ଦେଲା ଆମିର

ନୂଆଦିଲ୍ଲୀ: ଦିଲ୍ଲୀର ଖଜୁରି ଖାସ୍ ଅଞ୍ଚଳରେ ପୋଲିସ ଓ ଗୁଣ୍ଡା ମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ୨ ଜଣ ବଦମାସ ନିହତ ହୋଇଥିବା ବେଳେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି ।

ନିହତ ଦୁଇ ଜଣଙ୍କ ନାମ ଆମିର ଖାନ୍ ଓ ରାଜମାନ ବୋଲି ଜଣାପଡିଛି । ଏମାନଙ୍କ ଉପରେ ଚୋରୀ, ଲୁଟ୍, ଡକାୟତି, ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଉତ୍ତରପୂର୍ବ ଜିଲ୍ଲା ଓ ରୋହିଣୀ ଜିଲ୍ଲା ପୋଲିସର ମିଳିତ ଉଦ୍ୟମରେ ଏହି ଏନକାଉଣ୍ଟର ହୋଇଥିଲା । ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ, ୪ଟି ମେଗଜିନ୍ ସହ ୧.୫ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି ।

ପୋଲିସର ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ଦୁଇ ଜଣ ଗୁଣ୍ଡା ଲୁଚି ରହିଥିବା ନେଇ ଖବର ମିଳିଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ ଦୁବୃର୍ତ୍ତ ମାନେ ଅଚାନକ ଗୁଳି ଚଳାଇଥିଲେ ।

ତେବେ ଏହି ଏନକାଉଣ୍ଟର ସମୟରେ ଅପରାଧି ମାନେ ଏକ ବିଲ୍ଡିଂରେ ପଶିଯାଇଥିଲେ । ଉକ୍ତ ବିଲ୍ଡିଂରେ ୧୫ଟି ପରିବାର ରହିଥିଲେ । ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜ ମୁଣ୍ଡରେ ବନ୍ଧୁକ ଲଗାଇଥିଲା । ଏଥିସହିତ କହିଥିଲା ଯେ, ‘‘ଯଦି ପୋଲିସ ଗୁଳି ଚଳାଇବ ତାହେଲେ ମୁଁ ନିଜକୁ ମାରିବା ସହ ପୂରା ବିଲ୍ଡିଂକୁ ଉଡାଇଦେବି’’ ।

ପରବର୍ତ୍ତୀ ସମୟରେ ପୋଲିସ ଉକ୍ତ ବିଲ୍ଡିଂରେ ଥିବା ସମସ୍ତ ୧୫ ପରିବାରକୁ ଉଦ୍ଧାର କରିଥିଲା । ଯାହା ପରେ ସେମାନଙ୍କୁ ସରେଣ୍ଡର କରିବା ଲାଗି ପୋଲିସ ଚେତାବନୀ ଦେଇଥିଲେ ସୁଦ୍ଧା ବଦମାସ ମାନେ କିଛି ଶୁଣିନଥିଲେ । ଆଉ ଅଚାନକ ଗୁଳି ଚାଳନା କରିଥିଲେ । ଯାହା ଫଳରେ ପ୍ରତି ଜବାବରେ ପୋଲିସ ମଧ୍ୟ ଗୁଳି ଚାଳନା କରିଥିଲା ।

Leave a Reply