ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚେତିଲା ବାଲେଶ୍ବର ପ୍ରଶାସନ, ମାଟିରେ ମିଶିଲା ୧୮୮ ବ୍ୟବସାୟୀଙ୍କ ଦୁଇ ମହଲା କୋଠା
ନନ୍ଦିଘୋଷ ବ୍ୟୁରୋ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚେତିଲା ପ୍ରଶାସନ । ସରକାରୀ ଜାଗା ଉଚ୍ଛେଦ ସହ ରାସ୍ତା ପ୍ରସସ୍ତିକରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବାଲେଶ୍ବର ରେଲୱେ ଷ୍ଟେସନ ଛକଠାରୁ ଫକୀର ମୋହନ ଗୋଲେଇ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ । ବୁଲଡୋଜର ମାଡ଼ରେ ୩ ମାର୍କେଟ କମ୍ପ୍ଲେକ୍ସର ୧୮୮ ବ୍ୟବସାୟୀଙ୍କ ଦୁଇ ମହଲା କୋଠା ମାଟିରେ ମିଶିଛି । ବିକାଶକୁ ସ୍ବାଗତ କରାଯାଇଥିଲେ ସୁଦ୍ଧା ଦୋକନୀଙ୍କୁ ଥଇଥାନ କରିବାକୁ ଅନୁରୋଧ କରିଛନ୍ତି ବ୍ୟବସାୟୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ।
ବାଲେଶ୍ବରରେ ଦୂର ହେବ ଟ୍ରାଫିକ ସମସ୍ୟା । ଗହଳିରୁ ମିଳିବ ମୁକ୍ତି, ପ୍ରଶସ୍ତ ହେବ ରାସ୍ତା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଚେତିଲା ପ୍ରଶାସନ । ଆରମ୍ଭ ହେଲା ଜବର ଦଖଲ ଉଚ୍ଛେଦ । ବୁଲଡୋଜର ମାଡ଼ରେ ମାଟିରେ ମିଶିଲା ଦୋକାନୀଙ୍କ କୋଠା । ବାଲେଶ୍ୱର ଜିଲ୍ଲାର ମୁଖ୍ୟରାସ୍ତା ଓଟି ରୋଡର ରେଲୱେ ଷ୍ଟେସନ ଛକରୁ ଫକୀର ମୋହନ ଗୋଲେଇ ଛକ ଯାଏଁ ରାସ୍ତା ପ୍ରଶସ୍ତ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଥିଲେ ଲୋକେ । ସରକାରୀ ଜାଗାର ଦୀର୍ଘଦିନ ଧରି ବ୍ୟବସାୟୀମାନେ ମାଡ଼ି ବସି ଦୋକାନ କରିଥିବାରୁ ସୃଷ୍ଟି ହେଉଥିଲା ଗୁରୁତର ଟ୍ରାଫିକ ସମସ୍ୟା । ଏନେଇ ବାରମ୍ବାର ଦାବି ପରେ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସଦର ଭାସ୍କରଗଞ୍ଜ ୟୁନିଟ ୧୦ ଅଧୀନରେ ୪୦୫ ନମ୍ବର ପ୍ଲଟର ସମସ୍ତ ଅଞ୍ଚଳ ଭାଙ୍ଗିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବୁଲିଛି ବୁଲଡୋଜର ।
ରାସ୍ତା ଜବରଦଖଲ ଯୋଗୁଁ ରେଳ ଷ୍ଟେସନ, ହସ୍ପିଟାଲ ଯିବାକୁ ନୟାନ୍ତ ହେଉଥିଲେ ଲୋକେ । ତେଣୁ ରାସ୍ତାର ପାର୍ଶ୍ଵରେ ୨୭୮ରୁ ଅଧିକ ଦୋକାନୀଙ୍କୁ ଉଚ୍ଛେଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ୩ଟି ମାର୍କେଟ କମ୍ପ୍ଲେକ୍ସର ୧୮୮ ବ୍ୟବସାୟୀଙ୍କ ଦୁଇ ମହଲା କୋଠାକୁ ସମ୍ପୂର୍ଣ୍ଣ ରୂପେ ଭଙ୍ଗା ଯାଇଛି । ଜିଲ୍ଲାପାଳଙ୍କ ତତ୍ତ୍ଵବଧାନରେ, ୪ ପ୍ଲାଟୁନ ପୋଲିସ ଉପସ୍ଥିତିରେ ୧୨ରୁ ଅଧିକ ଜେସିବି ଉଚ୍ଛେଦ କାମରେ ନିୟୋଜିତ ହୋଇଛି । ତେବେ ରାସ୍ତାର ମଝିରୁ ୧୮ ମିଟର ଓସାର ଭାଙ୍ଗିବାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ । ବିକାଶକୁ ସ୍ବାଗତ କରିଥିଲେ ବି ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ବାଦି କରିଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳଟି ମ୍ୟୁନିସିପାଲଟି ଅନ୍ତର୍ଗତ ହୋଇଥିବା ହେତୁ ପରବର୍ତ୍ତୀ ସମୟରେ ଖାଲି ସ୍ଥାନରେ ବ୍ୟବସାୟୀକରଣ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

