ଆସିଲା ନୂଆ ଅପଡ଼େଟ, ଏଣିକି ସହଜ ହେବ ପିଏଫ୍ ଟଙ୍କା ଉଠାଣ
ନନ୍ଦିଘୋଷ ବ୍ୟୁରୋ: କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫଓର ୩୦ କୋଟିରୁ ଅଧିକ ଖାତାଧାରୀଙ୍କ ପାଇଁ ଆସିପାରେ ଏକ ନୂଆ ଡିଜିଟାଲ୍ ସୁବିଧା । ଏଣିକି ପିଏଫ୍ ଖାତାରୁ ଟଙ୍କା ଉଠାଇବା ପ୍ରକ୍ରିୟା ଆହୁରି ହେବ ସହଜ । ଏଥିପାଇଁ ୟୁଏଏନ୍ ପୋର୍ଟାଲକୁ ୟୁପିଆଇ ସହ ଯୋଡ଼ିବା ନେଇ ପ୍ରସ୍ତୁତି ଚାଲିଛି । ଏହି ସୁବିଧା ଆରମ୍ଭ ହେଲେ ଯୋଗ୍ୟ ଖାତାଧାରୀମାନେ ନିଜ ପିଏଫ୍ ଟଙ୍କାର ଏକ ଅଂଶ ଶୀଘ୍ର ଉଠାଇପାରିବେ। ତେବେ ଏହି ସୁବିଧା କେବେଠାରୁ ଆରମ୍ଭ ହେବ ଓ ଏଥିପାଇଁ କେଉଁ ସର୍ତ୍ତ ରହିବ, ସେନେଇ ଅଧିକାରିକ ଘୋଷଣାକୁ ଅପେକ୍ଷା କରିବାକୁ ପଡ଼ିବ।
ବର୍ତ୍ତମାନ ପିଏଫ୍ ଟଙ୍କା ଉଠାଇବା ପାଇଁ ଖାତାଧାରୀମାନଙ୍କୁ ୟୁଏଏନ୍ ପୋର୍ଟାଲ୍ ଜରିଆରେ ଅନ୍ଲାଇନ୍ ଆବେଦନ କରିବାକୁ ପଡ଼ୁଛି । ଏହାପରେ ଇପିଏଫଓ ଆବେଦନ ଯାଞ୍ଚ କରି ଟଙ୍କାକୁ ଖାତାଧାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇଥାଏ । ଏହି ପ୍ରକ୍ରିୟାରେ କିଛି ସମୟ ଲାଗିଥାଏ। ହେଲେ ନୂଆ ବ୍ୟବସ୍ଥାରେ ୟୁଏଏନ୍ ପୋର୍ଟାଲକୁ ୟୁପିଆଇ ସେବା ସହ ଯୋଡ଼ିବାର ଯୋଜନା ରହିଛି । ଏଥିପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଆଣିବା ନେଇ ମଧ୍ୟ ରିପୋର୍ଟରେ କୁହାଯାଇଛି। ଏହା ଜରିଆରେ ଖାତାଧାରୀମାନେ ଭିମ୍, ଫୋନ୍ପେ ଓ ଗୁଗୁଲ୍ ପେ ଭଳି ୟୁପିଆଇ ଆପ୍ ବ୍ୟବହାର କରି ଟଙ୍କା ଉଠାଇବାର ସୁବିଧା ପାଇପାରିବେ ।
ପିଏଫ୍ ଖାତାରୁ କେତେ ଟଙ୍କା ଉଠାଇପାରିବେ ?
ରିପୋର୍ଟ ଅନୁସାରେ, ନୂଆ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରୁଥିବା ଖାତାଧାରୀମାନେ ନିଜ ପିଏଫ୍ ଜମାରାଶିର ୭୫ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ଉଠାଇବାର ସୁଯୋଗ ପାଇପାରିବେ । ତେବେ ଏହା ଚୂଡ଼ାନ୍ତ ଭାବେ ଲାଗୁହେବ କି ନାହିଁ, ସେନେଇ ଅଧିକାରିକ ନିୟମ ସ୍ପଷ୍ଟ ହେବା ଆବଶ୍ୟକ। ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ, ପିଏଫ୍ ଖାତାରେ ୨୫ ପ୍ରତିଶତ ଟଙ୍କା ରଖିବାକୁ ପଡ଼ିପାରେ। ଏହାଦ୍ୱାରା ଅବସର ପରେ ଆର୍ଥିକ ସୁରକ୍ଷା ପାଇଁ କିଛି ଜମାରାଶି ଖାତାରେ ରହିବ।
କେଉଁ କାମ ପାଇଁ ଉଠାଇପାରିବେ ଟଙ୍କା ?
ପିଏଫ୍ ଟଙ୍କା ଉଠାଇବାର ଏହି ସୁବିଧା ଆରମ୍ଭ ହେଲେ ଯୋଗ୍ୟ ଖାତାଧାରୀମାନେ ବିଭିନ୍ନ ଜରୁରୀ ଆବଶ୍ୟକତା ପାଇଁ ଟଙ୍କା ଉଠାଇପାରିବେ।
ଯେପରିକି-
୧- ପିଲାଙ୍କ ପାଠପଢ଼ା ଖର୍ଚ୍ଚ
୨- ବିବାହ ଖର୍ଚ୍ଚ
୩- ଚିକିତ୍ସା ଖର୍ଚ୍ଚ
୪- ଘର ତିଆରି କିମ୍ବା ଘର ସମ୍ବନ୍ଧୀୟ ଆବଶ୍ୟକତା
ତେବେ ଏସବୁ କ୍ଷେତ୍ରରେ ଟଙ୍କା ଉଠାଇବା ପାଇଁ ଲାଗୁ ନିୟମ ଓ ଯୋଗ୍ୟତା ସର୍ତ୍ତ ପୂରଣ କରିବାକୁ ପଡ଼ିବ।

