ତୈଳ ଦର ବୃଦ୍ଧି ପରେ ଆଗକୁ ମହଙ୍ଗା ହେବାକୁ ଯାଉଛି ଏହିସବୁ ଔଷଧ

1 min read

ନୂଆଦିଲ୍ଲୀ: ତୈଳ ଦରବୃଦ୍ଧି ଭିତରେ ଔଷଧ ଦରବୃଦ୍ଧି ମାଡ଼ । ଆସନ୍ତା ଏପ୍ରିଲ ୧ରୁ ବଢ଼ିବ ପାରାସିଟାମଲ ସମେତ ୮୦୦ରୁ ଅଧିକ ପ୍ରକାର ଔଷଧ ଦର । ଏହିସବୁ ମେଡିସିନର ଦର ୧୦ଦଶମିକ ୭ ପ୍ରତିଶତ ବଢ଼ିବ । ଏନେଇ ଜାତୀୟ ଫାର୍ମାସ୍ୟୁଟିକାଲ ଦର ନିର୍ଦ୍ଧାରଣ କର୍ତ୍ତୃପକ୍ଷ ବା ଏନପିପିଏ ବିଜ୍ଞପ୍ତି ଜାରି କରିଛି । କର୍ତ୍ତୃପକ୍ଷଙ୍କ ଘୋଷଣା ଫଳରେ ଜରୁରୀ ମେଡିସିନ ସଂକ୍ରାନ୍ତ ଜାତୀୟ ତାଲିକାରେ ଥିବା ପ୍ରାୟ ୮୦୦ ପ୍ରକାର ଔଷଧର ଦର ବୃଦ୍ଧି ପାଇବେ ।

ଏହି ଔଷଧ ମଧ୍ୟରେ ରହିଛି ସାଧାରଣ ଉପଶମମୂଳକ ଔଷଧଠାରୁ ଜଟିଳ ରୋଗ ଚିକିତ୍ସା ସଂକ୍ରାନ୍ତ ଔଷଧ ଅନ୍ତର୍ଭୁକ୍ତ ରହିଛି । ଏନପିପିଏ ପକ୍ଷରୁ କୁହାଯାଇଛି- ବାଣିଜ ଓ ଶିଳ୍ପ ମନ୍ତ୍ରାଳୟର ଅର୍ଥନୈତିକ ପରାମର୍ଶଦାତା କାର୍ଯ୍ୟାଳୟ ପକ୍ଷରୁ ପ୍ରଦତ୍ତ ହୋଲସେଲ ଦର ସୂଚୀ ଅନୁସାରେ ଏହି ଦର ନିର୍ଦ୍ଧାରଣ କରାଯାଇଛି ।

ଏହି ୮୦୦ ପ୍ରକାର ଔଷଧ ମଧ୍ୟରେ ରହିଛି ଜ୍ବର, ସଂକ୍ରମଣ, ହୃଦରୋଗ, ଉଚ୍ଚ ରକ୍ତଚାପ, ଚର୍ମରୋଗ, ରକ୍ତହୀନତା ଆଦି ରୋଗର ଔଷଧ । ପାରାସିଟାମଲ, ଫେନୋବାର୍ବିଟୋନ, ଫିନିଟମ ସୋଡିଅମ, ଆଜିଥ୍ରୋମାଇସିନ, ସିପ୍ରୋଫ୍ଲୋକ୍ସିନ ହାଇଡ୍ରୋକ୍ଲୋରିନ, ମେଟ୍ରୋନିଡାଜୋଲ ଆଦି ଔଷଧର ଦାମ୍ ବଢିବ ।