ପୁରୁଣା ତ୍ରୁଟିରୁ ବୁଦ୍ଧି ଶିଖିଲା ଓସିଏ: ବାରବାଟୀରେ ଟି୨୦ ବେଳେ ଫ୍ଲଡ ଲାଇଟକୁ ନେଇ ବ୍ୟାପକ ବ୍ୟବସ୍ଥା
ନନ୍ଦିଘୋଷ ବ୍ୟୁରୋ: ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚବେଳେ ଫ୍ଲଡ ଲାଇଟ ବାରମ୍ବାର ବନ୍ଦ ହେବା ଯୋଗୁଁ ସାରା ବିଶ୍ବରେ ନିନ୍ଦିତ ହୋଇଥିଲା ଓସିଏ । ଡିସେମ୍ବର ୯ରେ ପୁଣି ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ । ଭାରତ- ଦକ୍ଷିଣ ଅଫ୍ରିକା ମ୍ୟାଚରେ ସେମିତି ଅଘଟଣ ଯେପରି ନଘଟେ ଏଥିପାଇଁ ସଜାଗ ହୋଇଛି ଓସିଏ । ସେଥିପାଇଁ ୮ଟି ନୂଆ ଜେନେରେଟର ଅଣାଯାଇଛି । ବ୍ୟାକଅପ୍ ପାଇଁ ପ୍ରତି ସ୍ଥାନରେ ଗୋଟିଏ ଲେଖାଏଁ ଡିଜେ ରହିବ । ସାଇଣ୍ଟିଫିକ କଣ୍ଟ୍ରୋଲ ରୁମ ଜରିଆରେ ଫ୍ଲଡ ଲାଇଟର ପୂରା ପରିଚାଳନା କରିବାକୁ ଓସିଏ ନିଷ୍ପତ୍ତି ନେଇଛି । ସେପଟେ ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବଢିବାରେ ଲାଗିଛି ଉତ୍କଣ୍ଠ ।
ପୁରୁଣା ତ୍ରୁଟିରୁ ବୁଦ୍ଧି ଶିଖିଲେ ଓସିଏ । ଫ୍ଲଡ ଲାଇଟ ଉପରେ ଦିଆଯିବ ଅଧିକ ଗୁରୁତ୍ବ । ସବୁ ଷ୍ଟାଣ୍ଡରେ ପ୍ରସ୍ତୁତ ରହିବ ବ୍ୟାକଅପ ଜେନେରେଟର । ସାଇଣ୍ଟିଫିକ୍ କଣ୍ଟ୍ରୋଲ ରୁମ ଜରିଆରେ ହେବ ପରିଚାଳନା । ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିବାରାତ୍ର ମ୍ୟାଚ ବେଳେ ହଠାତ ଫ୍ଲଡ ଲାଇଟ ତ୍ରୁଟି ଯୋଗୁଁ ପୂରା ଷ୍ଟାଡିୟମ ଅନ୍ଧାର ହୋଇଯାଇଥିଲା । ଖେଳ ମଝିରେ ୨୨ ମିନିଟ ବନ୍ଦ ହେବାରୁ ଖେଳାଳି ସମେତ ଦର୍ଶକ ବିରକ୍ତି ପ୍ରକାଶ କରିଥିଲେ । ଏହାକୁ ନେଇ ସାରା ବିଶ୍ବରେ ନିନ୍ଦିତ ହୋଇଥିଲା ଓସିଏ । ଏଥର କିନ୍ତୁ ସେହି ପୁରୁଣା ତ୍ରୁଟି ସୁଧାରି ଫ୍ଲଡ ଲାଇଟ ଉପରେ ଅଧିକ ଗୁରୁତ୍ବ ଦେଇଛି ଓସିଏ । ଆଗାମୀ ମ୍ୟାଚରେ ନୂଆ ୮ଟି ହାଇପାୱାର ଜେନେରଟର ନିୟୋଜିତ ରହିବେ । ପ୍ରତି ଟାୱାର ନିକଟରେ ବ୍ୟାକଅପ ଦେବାକୁ ରହିବ ଆଉଏକ ଡିଜେ । ଷ୍ଟାଣ୍ଡ ବାଏରେ ମୋଟ ୧୦ଟି ଡିଜେ ରହିବ । ସାଇଣ୍ଟିଫିକ କଣ୍ଟ୍ରୋଲ ରୁମ ଜରିଆରେ ପୂରା ଫ୍ଲଡ ଲାଇଟର ପରିଚାଳନା କରାଯିବ ବୋଲି ଓସିଏ ମୁଖ୍ୟ ବୈଷୟିକ ପରାମର୍ଶଦାତା ବିଷ୍ଣୁପଦ ମହାପାତ୍ର କହିଛନ୍ତି ।
ଡିସେମ୍ବର ୯ରେ ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମୁକାବିଲା । ୫ ତାରିଖରୁ ସାଧାରଣ ଦର୍ଶକଙ୍କ ପାଇଁ ଆରମ୍ଭ ହେବ ଟିକେଟ ବିକ୍ରି । ତେଣୁ ମ୍ୟାଚକୁ ଆଉ ଗୋଟିଏ ସପ୍ତାହ ଥିବାରୁ ଫ୍ଲଡ ଲାଇଟଗୁଡ଼ିକ ଯାଞ୍ଚ କରିଛି ଓସିଏ । ଫ୍ଲଡ ଲାଇଟରେ ଏକ ଡିଜିଟାଲ ସିଙ୍କ୍ରୋନାଇଜ ଲାଇଟ ଡିସପ୍ଲେର ବ୍ୟବସ୍ଥା କରିବାକୁ ଯାଉଛି ଓସିଏ । ଓସିଏର ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ପୂର୍ବତନ କ୍ରିକେଟର ପବନ ଅଗ୍ରୱାଲ ।
୯ ମାସ ପରେ ପୁଣି ବାରବାଟୀରେ ହେବାକୁ ଯାଉଛି ଅନ୍ତର୍ଜାତୀୟ ମ୍ୟାଚ । ଯାହାକୁ ନେଇ କ୍ରୀଡ଼ାପ୍ରେମୀ ଉତ୍ସାହିତ ଥିବାବେଳେ ଯେପରି କୌଣସି ତ୍ରୁଟି ନହୁଏ ସେଥିପ୍ରତି ରହିଛି କଡ଼ା ନଜର ।

