spot_img

Latest Posts

ବାପା-ମାଆର କଳିରେ ହନ୍ତସନ୍ତ ପୁଅ ; ହସ୍ପିଟାଲରେ ଭର୍ତ୍ତି ପୁଅ

ଦେବଗଡ଼ : ବାପାମାଆର କଳିରେ ଜୀବନ ସହ ସଂଘର୍ଷ କରୁଛି ୫ ବର୍ଷର ଶିଶୁ । ପାରିବାରିକ କଳହ ନେଇ ବିଷ ପିଇ ଦମ୍ପତି ଆତ୍ମହତ୍ୟା କରିଥିବା ବେଳେ ୫ ବର୍ଷର ଶିଶୁପୁତ୍ର ଏସସିବି ମେଡିକାଲରେ ଭର୍ତ୍ତି ହୋଇଛି । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଖଇରପାଲି ଅଂଚଳର ଏ ଘଟଣା । ଜୟନ୍ତାପାଲି ଗାଁର ଦୁଷ୍ମନ୍ତ ମାଝୀ ଓ ପତ୍ନୀ ରିଙ୍କି ମଧ୍ୟରେ ଅନେକ ସମୟରେ ପାରିବାରିକ କଳହ ଲାଗି ରହୁଥିଲା । ଗତ ମଙ୍ଗଳବାର ଦୁଷ୍ମନ୍ତ ଓ ରିଙ୍କି ୫ ବର୍ଷର ଶିଶୁପୁତ୍ରକୁ ଧରି ଦୁଷ୍ମନ୍ତଙ୍କ ଶ୍ୱଶୁର ଘର ଝରାବେରେଣୀକୁ ଯାଇଥିଲେ । ସେଠାରୁ ଘରକୁ ଶନିବାର ଦିନ ଫେରୁଥିବାବେଲେ ରାସ୍ତାରେ ଉଭୟ ବିଷ ପିଇ ପୁଅକୁ ମଧ୍ୟ ବିଷ ପିଆଇ ଦେଇଥିଲେ । ଶିଶୁପୁତ୍ରଟି ରାତିସାରା ଜଙ୍ଗଲରେ ରହିବା ପରେ ରବିବାର ସକାଳ ପ୍ରାୟ ୧୦ ଟାରେ ବେଳକୁ ମା’ଙ୍କ ଭ୍ୟାନିଟି ବ୍ୟାଗ ଧରି ରାସ୍ତା କଡ଼ରେ ପହଞ୍ଚିଥିଲା । ବାପା ମା’ ଜଙ୍ଗଲ ଭିତରେ ପଡ଼ିଥିବା ନେଇ ଶିଶୁପୁତ୍ରଟି ପଥଚାରୀଙ୍କୁ ଅବଗତ କରାଇଥିଲା।
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ରାସ୍ତା କଡ଼ରୁ ପ୍ରାୟ ୪୦୦ ମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ପଥର ଚଟାଣ ନିକଟରେ ଦୁଷ୍ମନ୍ତ ଓ ରିଙ୍କି ଗୁରୁତର ଅବସ୍ଥାରେ ପଡିଥିବାବେଳେ ତାଙ୍କ ନିକଟରେ କୀଟନାଶକ ପଡିଥିବା ଦେଖିବାକୁ ପାଇଥିଲେ। ପୋଲିସ କୀଟନାଶକ ବୋତଲ ଜବତ କରିବା ସହ ଦୁଷ୍ମନ୍ତ ଏବଂ ରିଙ୍କିକୁ ଅନୁଗୁଳ ଛେଣ୍ଡିପଦା ଡାକ୍ତରଖାନା ନେଇଥିଲା। ସେଠାରେ ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ। ରିଙ୍କି ଓ ଶିଶୁପୁତ୍ରକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସଂଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ରିଙ୍କିର ମୃତ୍ୟୁ ଘଟିଥିଲା। ଅଧିକ ଚିକିତ୍ସା ଲାଗି ଶିଶୁଟିକୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ଛେଣ୍ଡିପଦା ଡାକ୍ତରଖାନାରେ ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରିଙ୍କିଙ୍କ ମୃତଦେହ ବ୍ୟବଚ୍ଛେଦ ଲାଗି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ରଖାଯାଇଛି। ତଦନ୍ତ ପରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ। ଅନ୍ୟପଟେ କଟକ ଶିଶୁ ଭବନରେ ଚିକିତ୍ସିତ ହେଉଥିବା ପାଞ୍ଚ ବର୍ଷର ଶିଶୁଙ୍କ ସ୍ୱାସ୍ଥ୍ୟଵସ୍ଥା ସ୍ଥିର ରହିଛି। ଆବଶ୍ୟକ ପଡ଼ିଲେ ଆଇସିୟୁକୁ ସ୍ଥାନାନ୍ତର କରାଯିବ ବୋଲି ଶିଶୁ ଭବନ ପକ୍ଷରୁ କୁହାଯାଇଛି । ପିଲାକୁ ବିଷ ଦେବାକୁ ଚେଷ୍ଟା କରିବା ବେଳେ ପିଲାଟି ଫୋପାଡ଼ି ଦେଇଥିବା ଜଣାପଡ଼ିଛି ।

Latest Posts

Don't Miss