କରୋନା ମାରିଛି ପେଟରେ ଲାତ: ମୃତ୍ୟୁର ରାସ୍ତା ବାଛି ନେଉଛନ୍ତି ଚାଷୀ ଓ ବ୍ୟବସାୟୀ

ନୂଆଦିଲ୍ଲୀ: କରୋନାକୁ ନେଇ ଚିନ୍ତାଜନକ ତଥ୍ୟ । ମହାମାରୀରେ ଛଟପଟ ଚାଷୀ ଓ ବ୍ୟବସାୟୀ କରୁଛନ୍ତି ଆତ୍ମହତ୍ୟା । ବ୍ୟବସାୟିକ ଘାଟା ଯୋଗୁଁ ଆପଣାଇ ନେଇଛନ୍ତି ମୃତ୍ୟୁର ରାସ୍ତା । ଏହି ସମୟ ମଧ୍ୟରେ ୧୧ ହଜାରରୁ ଅଧିକ ବ୍ୟବସାୟୀ ଓ ୧୦ ହଜାରରୁ ଅଧିକ ଚାଷୀ ମୃତ୍ୟୁକୁ ଆପଣାଇ ନେଇଛନ୍ତି ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ତଥ୍ୟ ଅନୁସାରେ ଗତବର୍ଷ କୋଭିଡ ଯୋଗୁଁ ବ୍ୟବସାୟରେ ବ୍ୟାପକ କ୍ଷତି କାରଣରୁ ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମହତ୍ୟା ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି କୃଷି ସଂକଟ, ଫସଲହାନି, କ୍ଷତି, ଋଣଭାର ଆଦି କାରଣରୁ ଚାଷୀ ଆତ୍ମହତ୍ୟା ସଂଖ୍ୟା ବି ବଢିଥିଲା ।୨୦୨୦ରେ ୧୧ ହଜାର ୭୧୬ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଥିବା ବେଳେ, ୧୦ ହଜାର ୬୭୭ ଜଣ ଚାଷୀ ମୃତ୍ୟୁର ପଥ ବାଛି ନେଇଥିଲେ ।

ଆତ୍ମହତ୍ୟା କରିଥିବା ବ୍ୟବସାୟୀଙ୍କ ମଧ୍ୟରୁ ୪ ହଜାର ୩୫୬ ଜଣ ଛୋଟ, ମଧ୍ୟମ ଓ ବଡ ବ୍ୟବସାୟୀ ଥିବାବେଳେ, ୪ ହଜାର ୨୨୬ ଜଣ ଭେଣ୍ଡର ଥିଲେ । ସେପଟେ ଦେଶରେ ମୋଟ ଆତ୍ମହତ୍ୟା ହାର ୧୦ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଦେଶରେ ୧ ଲକ୍ଷ ୫୩ ହଜାର ୫୨ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି ।

ସୂଚନାଯୋଗ୍ୟ, ଦେଶରେ ସାଧାରଣତଃ ବ୍ୟବସାୟୀଙ୍କ ତୁଳନାରେ ଚାଷୀମାନେ ଅଧିକ ଆତ୍ମହତ୍ୟା କରିଥାନ୍ତି । ମାତ୍ର ଗତବର୍ଷ ଏହି ଘଟଣା ଓଲଟା ହୋଇଛି । ବାରମ୍ବାର ଲକଡାଉନ, ସଟଡାଉନ, ମାନ୍ଦା ବ୍ୟବସାୟ କାରଣରୁ ବ୍ୟବସାୟୀମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଥିଲେ ଓ ଋଣ ପରିଶୋଧ କରିପାରି ନଥିଲେ । ଏହି କାରଣରୁ ବହୁ ଚାଷୀ ମୃତ୍ୟୁକୁ ଆପଣାଇ ନେଇଥିଲେ । ସେହିପରି ଶସ୍ୟହାନୀ, ଋଣଜନିତ ସମସ୍ୟା ଯୋଗୁଁ ଚାଷୀମାନେ ବି ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରିଛନ୍ତି । ଭାରତୀୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମହାସଙ୍ଘ ସାଧାରଣ ସମ୍ପାଦକ ଅନୀଲ ଭରଦ୍ବାଜ କହିଛନ୍ତି, ‘କୋଭିଡ ସମୟରେ ବ୍ୟବସାୟୀଙ୍କ ମଧ୍ୟରେ ସଙ୍କଟ ଅତି ଘନୀଭୂତ ହୋଇଥିଲା ଏବଂ କୌଣସି ସୂତ୍ରରୁ ସହାୟତା ନ ପାଇ ଶେଷରେ ଆତ୍ମହତ୍ୟା କରିଥିଲେ ।’

Leave a Reply