ସରଳ ହେଲାନି ଖରିଫ ପଞ୍ଜୀକରଣ: ସରକାରୀ ନିୟମରେ ଛନ୍ଦି ହୋଇ ହନ୍ତସନ୍ତ ହେଉଛି ଚାଷୀ, ୧୮ରେ ବିଜେଡିର ବିଶାଳ ସମାବେଶ

1 min read

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କ ପାଇଁ ସରକାର । ହେଲେ ବିଜେପି ସରକାର ସମୟରେ ଚାଷୀ ବେଶୀ ଅବହେଳିତ । କେତେ ବେଳେ ଟୋକନ୍‌ ସମସ୍ୟା ତ ପୁଣି କେତେ ବେଳେ ପଞ୍ଜୀକରଣ ପାଇଁ ବଂଶାବଳୀ ନିୟମ । ଖରିଫ ଧାନ ବିକ୍ରି କରିବାକୁ ଚାଷୀ ପଞ୍ଜୀକରଣରେ ଏଭଳି ଜଟିଳ ବ୍ୟବସ୍ଥା ଚାଷୀର ମେରୁଦଣ୍ଡ ଭାଙ୍ଗିଲାଣି । ଯାହାକୁ ନେଇ ପଶ୍ଚିମ ଓଡ଼ିଶାର ତାତିଲେଣି ଚାଷୀ । ଏବେ ଚାଷୀଙ୍କ ହକ୍‌ ପାଇଁ ଲଢ଼ିବ ବିଜେଡି । ଆସନ୍ତା ୧୮ରେ ବରଗଡ଼ରେ ଚାଷୀଙ୍କୁ ନେଇ ବିଜେଡି କରିବ ବିଶାଳ ସମାବେଶ । ଚାଷୀ ହନ୍ତସନ୍ତ ହେଉଥିବାବେଳେ ବିଜେପି ଚିରାଚରିତ ଭାବେ ପୂର୍ବ ସରକାରକୁ ଦୋଷ ଠେଲି ଦେବାକୁ ଉଦ୍ୟମ କରିଛି ।

ଏୟା କରିଦିଆଯିବ । ସେଇୟା କରିଦିଆଯିବ । ଚାଷୀ ହସିବେ । କେବଳ ଘୋଷଣା କରିଦେଲେ ଚାଷୀର ହୋଇଯିବ ପଞ୍ଜୀକରଣ । ଏମିତି ଏମିତି ମାଳମାଳ କଥା ଶୁଣି ଚାଷୀ ଥିକି ଗଲେଣି । ହେଲେ ଏ ସରକାରକରେ ଖରିଫ ପଞ୍ଜୀକରଣ ସରଳ ହେବ କ’ଣ ? ସରକାରୀ ନିୟମରେ ଚାଷୀ ଛନ୍ଦି ହୋଇ ବାଧ୍ୟ ହେଲାଣି ରାଜରାସ୍ତାକୁ ଓହ୍ଲାଇବାକୁ । ଚାଷୀଙ୍କ ହିତରେ ବିଜୁ ଜନତା ଦଳ ସବୁବେଳେ ରହି ଆସିଛି ।

ପଶ୍ଚିମ ଓଡ଼ିଶା ରାଜ୍ୟର ଭାତ ହାଣ୍ଡି । ସେଠି ଏବେ ଚାଷୀ ଏବେ ସରକାରଙ୍କ ଜଟିଳ ନିୟମରେ ବେଶୀ ଦହଗଞ୍ଜ ହେଉଛନ୍ତି । ଆଉ ଚାଷୀଙ୍କ ଅଧିକାର ଓ ହକ୍‌ ପାଇଁ ଆସନ୍ତା ୧୮ରେ ବରଗଡ଼ରେ ବିଜୁ ଜନତା ଦଳ ପକ୍ଷରୁ କରାଯିବ ବିରାଟ ଚାଷୀ ମହାସମାବେଶ । ବିକ୍ଷୋଭରେ ସାମିଲ ହେବେ ହଜାର ହଜାର ଚାଷୀ । ପୂର୍ବ ସରକାର ସମୟରେ ଚାଷୀ ପଞ୍ଜୀକରଣ ନେଇ ସରଳ ନିୟମ ଥିଲା । ପି-ପାସ ବ୍ୟବସ୍ଥାରେ ଚାଷୀ ଧାନ ବିକ୍ରି କରି ସୁବିଧାରେ ଡିବିଟି ଜରିଆରେ ପାଇଯାଉଥିଲା ଏମଏସପି ଆଧାରରେ ଧାନ ବିକା ଟଙ୍କା । ହେଲେ ସରକାରୀ ନିୟମରେ ଛନ୍ଦି ହେଲାଣି । ଚାଷରେ କ’ଣ ମନ ଦେବ କେମିତି ନିଜ ନାମଟି ପଞ୍ଜୀକରଣ କରିବ ସେଥିରେ ତାର ଝାଳ ବାହାରିଯାଉଛି । ବିଭିନ୍ନ ଅଫିସ ଦୌଡ଼ି ଦୌଡ଼ି ସେ ଚାଷୀ ନୟାନ୍ତ ହେଉଛି । କ’ଣ ବିଜେପି ସରକାରଙ୍କ ଏପରି ଚାଷୀ ବିକାଶ ଆଭିମୁଖ୍ୟ ବୋଲି ପ୍ରଶ୍ନ କରିଛି ବିଜେଡି ।

ସ୍ବାମୀନାଥନ କମିଟି ଆଧାରରେ ଏ ପର୍ଯ୍ୟନ୍ତ ଧାନର ଏମଏସପି ଦର ବଢିଲାନି । ଅଥଚ ଏବର ସରକାର ୮୦୦ ଟଙ୍କା ଇନପୁଟ ସହାୟତା ପ୍ରଦାନ କରି ଧାନ କ୍ବିଣ୍ଟାଲ ୩୧୦୦ ଟଙ୍କା କରିଛନ୍ତି ବୋଲି ବାହାବା ନେଉଛନ୍ତି । ଭଲ ଚାଷୀଙ୍କୁ ଅଧିକ ଅର୍ଥ ପାଉ ଏକଥା ସମସ୍ତେ ଚାହାଁନ୍ତି । ହେଲେ ଚାଷୀ ପଞ୍ଜୀକରଣ ବ୍ୟବସ୍ଥାରେ ଏତେ ଜଟିଳ ନିୟମ କ’ଣ ପାଇଁ ? କ’ଣ ଆଗରୁ ରାଜ୍ୟ ବାହାରୁ ଚାଷୀ ଆସି ପଞ୍ଜୀକରଣ କରୁଥିଲେ ? ବିଜେଡିର ଅଭିଯୋଗ ଏଭଳି ଜଟିଳ ନିୟମ କରିବା ପଛର ଉଦ୍ଦେଶ୍ୟ ହେଉଛି ୮୦୦ ଟଙ୍କା ଇନପୁଟ ସହାୟତା ନ ଦେବାକୁ ଏକ ପ୍ରକାର ଷଡ଼ଯନ୍ତ୍ର । ଯାହାକୁ ବିଜେପି ନେତାମାନେ ବୋନସ୍‌ ବୋଲି ପ୍ରଚାର କରୁଥିବା ଅଭିଯୋଗ ହେଉଛି । ରାଜ୍ୟର ଯୋଗାଣ ମନ୍ତ୍ରୀ ଯାହା ଘୋଷଣା କରୁଛନ୍ତି ତାକୁ ତାଙ୍କ ମନ୍ତ୍ରାଳୟର ପ୍ରଶାସନିକ ଅଧିକାରୀ ଲାଗୁ କରୁନାହାନ୍ତି । ମନ୍ତ୍ରୀଙ୍କ ଘୋଷଣା ଗୋଟେ ପଟେ । ପ୍ୟାକ୍‌ସ ଓ ଲ୍ୟାମ୍ପସରେ ଚାଷୀ ଯେପରି ହଇରାଣ ହେବା କଥା ହେଉଛନ୍ତି ।

ଅନ୍ୟପଟେ ଏହି ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି । ନିଜ ସରକାରଙ୍କ ଦୋଷ ଦୁର୍ବଳତା ନ ଦେଖି ଚାଷୀଙ୍କ ସ୍ବାର୍ଥ କଥା ଭୁଲି ପୁଣି ଥରେ ପୂର୍ବ ସରକାରଙ୍କୁ ଦାୟୀ କରିବାକୁ ଭୁଲିନାହାନ୍ତି ।

କେନ୍ଦ୍ର ସରକାରଙ୍କ ନିୟମ ରହିଛି ଟଙ୍କାଟିଏ ବୋନସ ଦେଲେ ଭାରତୀୟ ଖାଦ୍ୟ ନିଗମ ଚାଷୀଙ୍କଠାରୁ ଧାନ କିଣିବନି । ସେଇଥି ପାଇଁ ୮୦୦ ଟଙ୍କା ବିଜେପି ସରକାର ଇନପୁଟ ସବସିଡି ବୋଲି ଘୋଷଣା କରିଛନ୍ତି । ଏବେ ବିଜେପି ନେତା ବୋନସ୍‌ ବୋଲି ଦାବି କରିବା ହାସ୍ୟାସ୍ପଦ । ତେବେ ଆଗାମୀ ୧୮ରେ ବିଜୁ ଜନତା ଦଳର ଚାଷୀଙ୍କ ସ୍ବାର୍ଥରେ ଲଢ଼େଇ ଜୋରଦାର କରିବ ।