ଚାଷୀଙ୍କୁ ମିଳୁନି ସାର: ଆଧାର କାର୍ଡ ଧରି ଲମ୍ବା ଲାଇନରେ ଚାଷୀ

ଚାଷୀଙ୍କୁ ମିଳୁନି ସାର । ଆଧାରକାର୍ଡ ଧରି ଲମ୍ବା ଲାଇନରେ ଚାଷୀ। ଗୋଟିଏ ବସ୍ତା ୟୁରିଆ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା। ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ୍ କାଙ୍କେରୀ ସମବାୟ ସମିତିର । ଏହି ସମବାୟ ସମିତି ଉପରେ ନିର୍ଭରଶୀଳ ଚାରୋଟି ଗ୍ରାମପଞ୍ଚାୟତର ପ୍ରାୟ ୩ହଜାରରୁ ଉର୍ଦ୍ଧ୍ବ ଚାଷୀ । ସାର ମିଳୁନଥିବାରୁ ଚାଷ କାର୍ଯ୍ୟ ଛାଡ଼ି ସମବାୟ ସମିତି ଆଗରେ ଜମୁଛି ଭିଡ଼। ଚଳିତ ଖରିଫ ଋତୁରେ ପାଖାପାଖି ୨୫ଶହ ଚାଷୀ ୪ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରିଛନ୍ତି । ହେଲେ ସାର ନ ମିଳିବାରୁ ଚାଷୀଙ୍କ ବଢ଼ିଛି ଚିନ୍ତା।

ସେପଟେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ଵର ସେବା ସମବାୟ କେନ୍ଦ୍ରରେ ଚାଷୀଙ୍କ ହୋହଲ୍ଲା ଦେଖିବାକୁ ମିଳିଛି । ସାର ପାଇଁ ସେବା ସମବାୟ କେନ୍ଦ୍ରରେ ଚାବି ପକାଇଛନ୍ତି ଅନ୍ନଦାତା । ସିଦ୍ଧେଶ୍ଵର ସମବାୟ ସମିତିକୁ ଶତାଧିକ ଚାଷୀ ସାର ନେବା ପାଇଁ ଆସିଥିଲେ । ହେଲେ ସାର ଅଭାବ ଯୋଗୁ ଚାଷୀ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତ । ଗଣିଆନାଳ ଛକ ଠାରେ ଜାତୀୟ ରାଜପଥ ୩୨୬ କୁ ଅବରୋଧ କରିଥିଲେ ଚାଷୀ। । ସେହିପରି ଆସିକା ବ୍ଳକ ମଙ୍ଗଳ ପୁର ସୋସାଇଟି ସମ୍ମୁଖରେ ଚାଷୀମାନେ ଧାଡିରେ ଛିଡା ହୋଇଛନ୍ତି । ପ୍ରାୟ ୬00 ମିଟର ପର୍ଯ୍ୟନ୍ତ ଚାଷୀ ରାସ୍ତାରେ ଛିଡା ହୋଇଥିବା ଦେଖିବାକୁ ମିଳିଛି ।

ସେପଟେ ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକରେ ୟୁରିଆ ସାରର ଘୋର ଅଭାବ । ସାର ବସ୍ତା ପିଛା ୬୦୦ ରୁ ୭୦୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ପ୍ଯାକ୍ସରେ ଚାଷୀଙ୍କ ଭିଡ ଜମିଥିବାବେଳେ ଆବଶ୍ଯକତା ଠାରୁ କମ ସାର ଆସିଥିବାରୁ ଆଧାରକାର୍ଡ ଥୋଇ ଲାଇନ ଦେଇଛନ୍ତି ଚାଷୀ ।ଏପରିକି ପ୍ରବଳ ବର୍ଷାରେ ଭିଜି ଅପେକ୍ଷା କରିଛନ୍ତି ଚାଷୀ। ସାର ବଣ୍ଟନ ଠିକରେ ହେଉନଥିବାରୁ ଚାଷୀଙ୍କ ଭିତରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ସମବାୟ ସମିତିକୁ ତାଲା ପକାଇ ବନ୍ଦ କରି ଦେଇଛନ୍ତି ଚାଷୀ। କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର। କିନ୍ତୁ ଏବେ ଚାଷୀ କହୁଛନ୍ତି ଚାଷ କାମ ଯାହାର କେତେ ଦୁଃଖ ତାହାର। ଚଳିବର୍ଷ ସାର ପାଇବାରେ ଚାଷୀ ଯେତିକି ହନ୍ତସନ୍ତ ହେଲେଣି କେବେ ବି ଆଗରୁ ଏପରି ସ୍ଥିତିର ସମ୍ମୁଖୀନ ହୋଇନଥିଲେ ବୋଲି ଅନୁଭବ କରିଛନ୍ତି ।