ତୃତୀୟ ଦିନରେ ଚାଷୀ ଆନ୍ଦୋଳନ

1 min read

ନୂଆଦିଲ୍ଲୀ: ଜୋର ଧରିଲା ଚାଷୀ ଆନ୍ଦୋଳନ। ଦିଲ୍ଲୀ ଚାଲୋ ସ୍ଲୋଗାନ ଦେଇ ହଜାର ହଜାର ଚାଷୀ ଦିଲ୍ଲୀ ଭିତରକୁ ପ୍ରବେଶ ଉଦ୍ୟମ କରୁଛନ୍ତି। ପୋଲିସ ଚାଷୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଓ ଚାଷୀନେତାଙ୍କ ମଧ୍ୟରେ ବୁଧବାର ହୋଇଥିବା ଆଲୋଚନାରୁ କୌଣସି ସୁଫଳ ମିଳିନଥିଲା । ବରଂ ଚାଷୀଙ୍କ ଆନ୍ଦୋଳନକୁ ବନ୍ଦ କରିବାକୁ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ।

ସେପଟେ ଗୁରୁବାର ଚାଷୀନେତା ଜଗଜିତ୍ ସିଂ ଦାଲେୱାଲା ଓ ସରୱାନ ସିଂ ପାନ୍ଧେର କେନ୍ଦ୍ର ମନ୍ତ୍ରୀଙ୍କୁ ଚଣ୍ଡିଗଡ଼ରେ ସାକ୍ଷାତ କରିପାରନ୍ତି। କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା,ପିୟୁସ ଗୋୟଲ ଓ ନିତ୍ୟାନନ୍ଦ ରାୟଙ୍କ ସହ ଚାଷୀନେତାଙ୍କ ବୈଠକ ହେବା ସ୍ଥିର ହୋଇଛି। ବୁଧବାର ଚାଷୀମାନେ କନୌରୀ ସୀମାରୁ ଦିଲ୍ଲୀ ଅଭିମୁଖେ ଶୋଭାଯାତ୍ରା ଆରମ୍ଭ  କରୁଥିବା ବେଳେ ପୋଲିସ ଡ୍ରୋନ ମାଧ୍ୟମରେ ପ୍ରାୟ ୪ହଜାର ୫ଶହ ଲୁହବୁହା ଗ୍ୟାସ ସେଲ୍ ପ୍ରୟୋଗ କରିଥିଲା, ଯେଉଁଥିରେ ଶତାଧିକ ଚାଷୀ ଆହତ ହୋଇଛନ୍ତି। କିନ୍ତୁ,ଚାଷୀନେତା ଅଭିଯୋଗ କରିଛନ୍ତି ଯେ, ପୋଲିସ ପେଲେଟ ଗନ୍ ର ବ୍ୟବହାର କରି ରବର ବୁଲେଟ୍ ମାଡ କରିଥିଲା ।

ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀଙ୍କ ଆଲୋଚନା ବିଫଳ ହେବାପରେ ପଞ୍ଜାବରୁ ଶହଶହ ଚାଷୀ ଟ୍ରାକ୍ଟର ଓ ନିଜ କାର୍ ଯୋଗେ ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ଚାଷୀଙ୍କ ପ୍ରମୁଖ ଦାବି ହେଲା ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ପାଇଁ କେନ୍ଦ୍ର ସରକାର ଆଇନତଃ ସ୍ବୀକୃତି ଦିଅନ୍ତୁ । ହଜାର ହଜାର ସଶସ୍ତ୍ର ପୋଲିସ ଦିଲ୍ଲୀ ସୀମା ସିଂଘୁ,ଟିକ୍ରି ଓ ଘାଜିପୁରରେ ମୃତ୍ତୟନ ଅଛନ୍ତି। ୨୦୨୨ ଜୁଲାଇରେ ଚାଷୀ ଆନ୍ଦୋଳନର ଭୟାବହତାକୁ ଦେଖି, କେନ୍ଦ୍ର ସରକାର MSP ଲାଗୁ କରିବାକୁ ଆଇନ ଆଣିବା ପାଇଁ ପ୍ରତିଶୃତି ଦେବା ସହ ୩ କଳା ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ।

୨୦୨୨ ଜୁଲାଇ ମାସରେ ଗଠିତ ହୋଇଥିବା ଏକ୍ସପର୍ଟ କମିଟି ବର୍ତ୍ତମାନ ପର୍ଯ୍ୟନ୍ତ MSP ସଂପ୍ରସାରଣ ନେଇ କୌଣସି ରିପୋର୍ଟ ଦାଖଲ କରିନାହାଁନ୍ତି, ଯାହାକୁ ନେଇ ତାତିଛନ୍ତି ଚାଷୀ । MSP କେବଳ ଧାନ ଓ ଗହମ ପାଇଁ ସହାୟକ ମୂଲ୍ୟ ଧାର୍ଯ୍ୟ କରୁଥିବା ବେଳେ, ତୈଳ ଜାତୀୟ ଶସ୍ୟ ବିକ୍ରି ପାଇଁ MSP ଧାର୍ଯ୍ୟ ହୋଇନାହିଁ ଫଳରେ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । କିଛି ରାଜ୍ୟକୁ ଛାଡିଦେଲେ ଅନ୍ୟ ରାଜ୍ ଚାଷୀମାନଙ୍କ ପାଇଁ MSP ଲାଗୁ କରାଯାଇନାହିଁ । ସାରାଦେଶରେ ଏହି ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ କରିବାକୁ ଦାବି କରିଛି କିଷାନ୍ ମଜଦୁର ମୋର୍ଚ୍ଚା । MSP ଛଡା ଚାଷୀ ସଂଗଠନର ଅନ୍ୟ ପ୍ରମୁଖ ଦାବି ଗୁଡିିକ ହେଲା ୨୦୦୬ ସ୍ବାମୀ ନାଥନ କମିଟି ରିପୋର୍ଟକୁ ଲାଗୁ କରିବା,  କୃଷି ଋଣ ଛାଡ କରିବା, ଚାଷୀ ଓ ସେମାନଙ୍କ ପରିବାର ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବା ଆଦି ଦାବି ନେଇ ଚାଷୀ ଆନ୍ଦୋଳନ ଜାରି ରହିଛି