ବାହାରି ପାରୁନି ସମାଧାନର ବାଟ, ଚାଷୀଙ୍କୁ ମନାଉଛନ୍ତି ସରକାର

ନୂଆଦିଲ୍ଲୀ: ଜିଦରେ ଅଟଳ ଚାଷୀ, ମନାଉଛନ୍ତି ସରକାର । ହେଲେ ବାହାରି ପାରୁନି ସମାଧାନର ବାଟ । ଦୀର୍ଘ ୧୨ ଦିନ ଧରି ଦିଲ୍ଲୀ ସୀମାରେ ଶୀତ କାକରରେ ବସିଛନ୍ତି ହଜାର ହଜାର ଚାଷୀ। ବିନା କୌଣସି ସଂଶୋଧନରେ ଆଇନ୍ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ଚାଷୀ ସଙ୍ଗଠନ। ବାରମ୍ବାର ସରକାରଙ୍କ ସହ ଆଲୋଚନା ପରେ ବି ବାହାରି ପାରୁନି ସମଧାନାର ବାଟ । ସେପଟେ ଆସନ୍ତା ୯ ତାରିଖରେ ସରକାର ଓ ଚାଷୀ ନେତାଙ୍କ ମଧ୍ୟରେ ପରବର୍ତ୍ତୀ ବୈଠକ ରହିଛି ।

ପ୍ରଥମେ ପଞ୍ଜାବ ଓ ହରିୟାଣା ଚାଷୀ ଆନ୍ଦୋଳନରେ ବସିଥିବା ବେଳେ ଏବେ ସାରା ଦେଶରୁ ବଢୁଛି ସମର୍ଥନ। ସେପଟେ ନୂଆ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କୃଷକ ସଙ୍ଗଠନ । ଆସନ୍ତାକାଲିର ବନ୍ଦକୁ ସଫଳ କରିବା ପାଇଁ ତମାମ ବିରୋଧି ଚାଷୀଙ୍କ ସହ ଛିଡା ହୋଇଛନ୍ତି । ୧୮ଟି ରାଜନୈତିକ ଦଳ ବନ୍ଦକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି  ।

କଂଗ୍ରେସ୍, ଡିଏମକେ, ଏନସିପି, ସମାଜବାଦୀପାର୍ଟି ଆଦି ୧୮ଟି ରାଜନୈତିକ ଦଳ କୃଷକଙ୍କ ସମର୍ଥନରେ ବାହାରିଛି  । ସମସ୍ତ ପାର୍ଟି ମୁଖ୍ୟାଳୟରେ କଂଗ୍ରେସ ନେତା ଓ କର୍ମୀ ଆନ୍ଦୋଳନ କରିବେ ବୋଲି ଦଳ କହିଛି  । ଯଦି ସରକାର ଦାବି ନ ମାନନ୍ତି ତେବେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି କୃଷକ ସଂଗଠନ ।

Leave a Reply