ପୁଣି ତେଜିଲା କୃଷକ ଆନ୍ଦୋଳନ, ଏକାଠି ହେଲେ ଚାଷୀ

1 min read

ନୂଆଦିଲ୍ଲୀ: ପୁଣି ତେଜିଲା କୃଷକ ଆନ୍ଦୋଳନ। ନୋଏଡା ଓ ଗ୍ରେଟର ନୋଏଡାରେ ଏକତ୍ରିତ ହୋଇଛନ୍ତି ଚାଷୀ। ସରକାରଙ୍କ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଜମିର ଉଚିତ ମୂଲ୍ଯ ସହ ଅନ୍ଯାନ୍ଯ ଦାବି କରିଛନ୍ତି ଆନ୍ଦୋଳନକାରୀ। ସଂସଦ ଭବନ ଆଡକୁ ଚାଷୀ ଅଗ୍ରସର ହେଉଥିବା ବେଳେ ଦିଲ୍ଲୀ-ନୋଏଡା ସୀମାରେ ସୁରକ୍ଷା ବ୍ଯବସ୍ଥା କଡ଼ାକଡି ହୋଇଛି।

ଟ୍ରାଫିକ ପୋଲିସ ଆଲର୍ଟ ରହିଥିବା ବେଳେ ସୀମାରେ ବହୁ ସଂଖ୍ଯାରେ ପୋଲିସ ମୁତୟନ ହୋଇଛନ୍ତି। ଐତିହାସିକ ଚାଷୀ ଆନ୍ଦୋଳନର ୩ବର୍ଷ ପରେ ପୁଣି ଥରେ ବିଭିନ୍ନ ପ୍ରସଙ୍ଗରେ ତାତିଛନ୍ତି ଚାଷୀ। ଦିଲ୍ଲୀରେ ଯେପରି ଚାଷୀମାନେ ପ୍ରବେଶ କରିପାରିବେ ନାହିଁ ସେଥିଲାଗି ବିଭିନ୍ନ ସ୍ଥାନରେ ବ୍ଯାରିକେଡ ଲଗାଇଛି ପୋଲିସ।

ସେପଟେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଜାରି ହୋଇଛି ଟ୍ରାଫିକ ଆଡଭାଇଜରୀ। ଏନଏଚ-୯, ସର୍ଭିସ୍ ଲେନ୍ ଏବଂ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ଚକା ଜାମ କରାଯାଇଛି। ନଗର ନିଗମ ଟୋଲ ପାଖରେ ମଧ୍ଯ ଜାମ ଲାଗିଛି। କମର୍ସିଆଲ ଏବଂ ସାଧାରଣ ଗାଡ଼ି ମଧ୍ୟ ନିଜ ଲେନରେ ଚାଲି ପାରୁନାହାନ୍ତି। ଚାଷୀ ଆନ୍ଦୋଳନ ଯୋଗୁ ଅନ୍ୟାନ୍ୟ ସଡ଼କ ଉପରେ ଯାତାୟତରେ ପ୍ରତିବନ୍ଧ ଲାଗିବା ଦ୍ଵାରା ସେକ୍ଟର-୧୬ ରଜନୀଗନ୍ଧା ଛକଠାରୁ DND ପର୍ଯ୍ୟନ୍ତ ଟ୍ରାଫିକ ଜାମ ସ୍ଥିତି ରହିଛି। ଫଳରେ ନୋଏଡାରୁ ଦିଲ୍ଲୀ ଯିବା ପାଇଁ ସମସ୍ଯା ଭୋଗୁଛନ୍ତି ଯାତ୍ରୀ। ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ-ନୋଏଡା ବର୍ଡରରେ ସୁରକ୍ଷା ବୃଦ୍ଧି କରାଯାଇଛି। ସୀମାରେ ଧାରା ୧୪୪ ଲାଗିଛି। ସମସ୍ତ ଗାଡ଼ିର ଯାଞ୍ଚ ଚାଲିଛି।