ବାପା କାନ୍ଧରେ ଝିଅ ଶବ, ଆମ୍ବୁଲାନ୍ସ ନ ମିଳିବାରୁ ୧୦ କିଲୋମିଟର ବୋହିଲେ ମୃତଦେହ

1 min read
Father Carrying 7 Years Old Girl Dead Body In Chhattisgarh

ରାୟପୁର: ପୁଣି ମାନବିକତାର ମୃତ୍ୟୁ । ଶବକୁ ମିଳିଲାନି ସମ୍ମାନ । କାନ୍ଧରେ ବୋହିଲେ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ଝିଅକୁ । ହୃଦୟର କୋହକୁ ଚାପି ଧରି ବାପାର ପାଦ ଆଗକୁ ବଢ଼ୁଛି, କାନ୍ଧରେ ଅଛି ୭ ବର୍ଷର ଝିଅର ଶବ । ମନକୁ ଦୋହଲାଇ ଦେଉଥିବା, ଛାତିକୁ ଥରେଇ ଦେଉଥିବା ଏ ଦୃଶ୍ୟ ଛତିଶଗଡ଼ର । ଲଖନପୁର ଅଞ୍ଚଳରେ ଏଭଳି ଅମାନବୀୟ ଘଟଣା ଘଟିଛି ।

ଶନିବାର ସକାଳେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ ବର୍ଷର ନାବାଳିକାର ମୃତ୍ୟୁ ହୋଇଥିଲା । ନାବାଳିକାକୁ ଜର ସହ ପେଟ ଯନ୍ତ୍ରଣା ହେବାରୁ ମେଡିକାଲ ଆଣିଥିଲେ ପରିବାର ଲୋକ । ଜର କାରଣରୁ ଝିଅ କିଛି ଖାଇନଥିବା ନାବାଳିକାର ପିତା ଡାକ୍ତର ଓ ନର୍ସଙ୍କୁ କହିଥିଲେ । ଯାହାପରେ ନର୍ସ ଏକ ଇଞ୍ଜେକ୍ସନ୍ ଦେବାର କିଛି କ୍ଷଣ ପରେ ଝିଅଟିର ମୃତ୍ୟୁ ହୋଇଥିଲା ।

ଝିଅର ମୃତଦେହକୁ ନେବାକୁ ବାପା ମେଡିକାଲ କର୍ତ୍ତୃପକ୍ଷଙ୍କୁ ଆମ୍ବୁଲାନ୍ସ ମାଗିଥିଲେ । ହେଲେ କର୍ତ୍ତୃପକ୍ଷ ଶବବାହକ ଗାଡ଼ି ବ୍ୟବସ୍ଥା ନଥିବା କହିଥିଲେ । ବରଂ ନିଜେ ଗାଡ଼ି ବ୍ୟବସ୍ଥା କରି ମୃତଦେହ ନେବାକୁ କହିଥିଲେ । ଯାହା ପରେ ଝିଅର ବାପାମାଆ କାନ୍ଦି କାନ୍ଦି ମୃତଦେହକୁ କାନ୍ଧରେ ପକାଇ ୧୦ କିଲୋମିଟର ଚାଲି ଚାଲି ଯାଇଥିଲେ ।

୨ ଦିନ ଧରି ଅମଦଲାର ଈଶ୍ୱର ଦାସଙ୍କ ଝିଅ ସୁରେଖାକୁ ଜର ହୋଇଥିଲା । ରାତିରେ ପେଟରେ ଯନ୍ତ୍ରଣା ହେବାରୁ ସକାଳେ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ଇଞ୍ଜେକ୍ସନ ଦେବା ପରେ ଝିଅଟିର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅନୁସାରେ, ନାବାଳିକାର ଅମ୍ଲଜାନ ସ୍ତର କମ୍ ରହିଥିଲା । ୧୫ ଦିନ ହେଲା ଜର ଲାଗି ରହିଥିବା ବେଳେ ଗୁରୁତର ଅବସ୍ଥାରେ ମେଡିକାଲ ଆଣିଥିଲେ । ଚିକିତ୍ସା ପରେ ସ୍ଥିତି ସୁଧୁରିବା ପରିବର୍ତ୍ତେ ମୃତ୍ୟୁ ହୋଇଥିଲା । ଏନେଇ ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍. ସିଂହ ଦେବ ଜାଣିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।