ମଦ କାରବାର ନେଇ ଝିଅକୁ ହଇରାଣ କରାଯିବାରୁ ବିଷ ପିଇ ବାପାଙ୍କ ଆତ୍ମହତ୍ୟା
ନନ୍ଦିଘୋଷ ବ୍ୟୁରୋ: ମଦ କାରବାରକୁ ନେଇ ଝିଅକୁ ହଇରାଣ କରାଯିବାରୁ ବାପା ବିଷ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡ଼ଦିଆ ଗାଁରେ । ଅଞ୍ଚଳରେ ମଦ କାରବାର ବଢ଼ିବାରୁ ତାକୁ ବିରୋଧ କରି ସ୍ଥାନୀୟ ମହିଳା ମହାସଂଘ ଚୋରା ମଦ ଦୋକାନ ଭାଙ୍ଗିବା ସହ ବଜାର ବନ୍ଦ କରିଥିଲେ ।
ଚୋରା ମଦ ଦୋକାନ କରିଥିବା ଲକ୍ଷ୍ମୀପ୍ରିୟା ପରିଡାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ବଜାରକୁ ଡାକି ମାନସିକ ନିର୍ଯାତନା ଦିଆଯାଇଥିଲା । ୧ ଲକ୍ଷ ଟଙ୍କାର ଜରିମାନା ବି କରିଥିଲେ ଲୋକେ । ସରପଞ୍ଚଙ୍କ ହସ୍ତକ୍ଷେପ ପରେ ତାକୁ ୩୦ ହଜାର କରାଯାଇଥିଲା । ଲକ୍ଷ୍ମୀପ୍ରିୟା ୧୦ ହଜାର ଟଙ୍କା ଦାଖଲ କରିଥିଲେ । ବାକି ପଇସା ନ ଦେଲେ ଗାଁ ଦାଣ୍ଡରେ ଜୋତାମାଳ ପିନ୍ଧାଇ ବୁଲାଯିବ ବୋଲି ଧମକ ଦିଆଯାଇଥିଲା । ଏହାକୁ ସହି ପାରି ନଥିଲେ ଲକ୍ଷ୍ମୀଙ୍କ ବାପା । ଏହାକୁ ନେଇ ସେ ଗତ ରାତିରେ ବିଷ ପିଇଥିଲେ । ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ଯୁ ଘଟିଥିଲା । ଉକ୍ତ ଘଟଣାକୁ ନେଇ ଲକ୍ଷ୍ମୀପ୍ରିୟା ବାଂଶଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ କରୁଛି । ମହିଳା ମହାସଂଘ କାର୍ଯ୍ୟକର୍ତ୍ତା ମାନସିକତା ନିର୍ଯାତନା କଥାକୁ ଅସ୍ଵୀକାର କରିଛନ୍ତି ।

