ସୈତାନ ବାପା: ୧୮ ଦିନର ଶିଶୁକନ୍ୟାକୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଉଦ୍ୟମ

ନୀଳଗିରି: ଝିଅ ଜନ୍ମ ହେଲେ ଘରକୁ ମାଆ ଲକ୍ଷ୍ମୀଙ୍କ ଆଗମନ ହେଲା ବୋଲି କୁହାଯାଇଥାଏ । ଝିଅ ଜନ୍ମ ଘର ପାଇଁ ମଙ୍ଗଳମୟ ବୋଲି ବିଚାର କରାଯାଇଥାଏ । ହେଲେ ଆଜି ବି ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଝିଅ ଜନ୍ମକୁ ଅଶୁଭ ବୋଲି ଭାବୁଛନ୍ତି । ଏମିତି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ । ୧୮ ଦିନର ଝିଅକୁ ଜନ୍ମ କଲା ବାପା ବିଷ ଦେଇ ମାରିବାକୁ ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ନବଜାତ ଶିଶୁକନ୍ୟାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପଟେ ଅଭିଯୁକ୍ତ ବାପାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଅଭିଯୋଗ ଅନୁସାରେ, ବାଲେଶ୍ବର ଜିଲ୍ଲା ନୀଳଗିରି ମିତ୍ରପୁର ସିଙ୍ଗିରୀ ଅଞ୍ଚଳର ଶ୍ବଶୁର ଘରକୁ ଆସି ଅଭିଯୁକ୍ତ ଚନ୍ଦନ ନିଜ ୧୮ ଦିନର ଝିଅକୁ ବିଷ ଇଞ୍ଜେକ୍ସନ ଦେଇ ମାରିବାକୁ ଉଦ୍ୟମ କରିଛନ୍ତି । ଚନ୍ଦନ ଚାହୁଁଥିଲେ ତାଙ୍କର ପୁଅ ହେଉ, ହେଲେ, ଝିଅ ହୋଇଥିଲା । ଯାହାକୁ ନେଇ ଚନ୍ଦନ ମତିଭ୍ରମ ହୋଇଯାଇଥିଲା । ଝିଅ ଜନ୍ମ ହେବାକୁ ସେ ଗ୍ରହଣ କରିପାରି ନଥିଲେ । ସିଙ୍ଗିରୀ ଆସି ମିତ୍ରପୁରରୁ ଏକ ଔଷଧ ଦୋକାନରୁ ଇଞ୍ଜେକ୍ସନ କିଣିଥିଲେ । ଏଥିରେ ବିଷ ମିଶାଇ ରାତିରେ ଝିଅର ହାତରେ ଦେଇଥିଲେ । ଝିଅ ହାତରୁ ରକ୍ତ ବାହାରୁ ଥିବା ଦେଖି ତାଙ୍କ ପତ୍ନୀଙ୍କ ସନ୍ଦେହ ହୋଇଥିଲା । ପଚାରିବାରୁ ଚନ୍ଦନ ଖସି ଯିବାକୁ ଉଦ୍ୟମ କରିଥିଲେ । ଶ୍ବଶୁର ନୀଳଗିରି ଥାନାକୁ ଖବର ଦେବା ପରେ ପୋଲିସ ପହଞ୍ଚି ଚନ୍ଦନକୁ ଅଟକ ରଖିଛି । ଘଟଣା ସ୍ଥଳରୁ ପୋଲିସ ବିଷ ଇଞ୍ଜେକ୍ସନ ଜବତ କରିଛି ।