ଛତ୍ରପୁର ଥାନା ସମ୍ମୁଖରେ ଅଭାବନୀୟ ଘଟଣା, ପାରିବାରିକ କଳହକୁ ନେଇ ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସମ୍ମୁଖରେ ପାରିବାରିକ କଳହକୁ ନେଇ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣଙ୍କ ହେଲେ ଛତ୍ରପୁର ମହାବୀରନଗରର ଏମ. ମୁନା ପାତ୍ରଙ୍କ ସ୍ତ୍ରୀ ଏମ. ଝିଲି ପାତ୍ର । ଝିଲିକୁ ଗୁରୁତର ଅବସ୍ଥାରେ ଛତ୍ରପୁର ଥାନା ପୋଲିସ ଉଦ୍ଧାର କରି ପ୍ରଥମେ ଛତ୍ରପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲା । ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆତ୍ମହତ୍ୟା ଉଦ୍ୟମ କରିଥିବା ଝିଲି ପ୍ରେମ ବିବାହ କରିଥିବା ବେଳେ ଶ୍ୱଶୁର ଘର ଲୋକ ଯୌତୁକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଏନେଇ ଛତ୍ରପୁର ଥାନାରେ ଝିଲିଙ୍କ ପରିବାର ପକ୍ଷରୁ ୨ ତାରିଖରେ ଅଭିଯୋଗ ହୋଇଥିଲା । ବାରମ୍ବାର ଅଭିଯୋଗ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଥାନା ପରିସରରେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ବିଫଳ ହେବା ପରେ ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।