ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ରାଜଧାନୀ : ରଙ୍ଗୀନ ଆଲୋକରେ ଝଟକିଲାଣି ଭୁବନେଶ୍ବର ରାଜରାସ୍ତା

1 min read

ନନ୍ଦିଘୋଷ ବ୍ୟୁରୋ : ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ରାଜଧାନୀ । ତୋରଣ ଓ ସାଜସଜ୍ଜାକୁ ନେଇ ପୂଜାମଣ୍ଡପ ଗୁଡିକରେ ଲାଗିଗଲାଣି ଅଘୋଷିତ ପ୍ରତିଯୋଗିତା । ହାତରେ ଦିନ କେଇଟା ଥିବାରୁ କାରିଗରଙ୍କ ଠାରୁ ଶିଳ୍ପୀମାନେ ଅବିଶ୍ରାନ୍ତ ପରିଶ୍ରମ କରୁଛନ୍ତି । ସୂଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳାରେ ଝଟକିଲାଣି ଭୁବନେଶ୍ବର ରାଜରାସ୍ତା । ଦେଶ ବିଦେଶର ତୋରଣ ଭିତରେ ପୂଜା ପାଇବେ ମାଆ ଦୁର୍ଗା ।

ରାଜଧାନୀରେ ଶାରଦୀୟ ମାହୋଲ । ରଙ୍ଗୀନ ଆଲୋକରେ ଝଟକିଲାଣି ରାଜରାସ୍ତା । ଦୁର୍ଗତନାଶିନୀଙ୍କ ଆବାହନ ପାଇଁ ପ୍ରସ୍ତୁତ ହେଲେଣି ପୂଜା ମଣ୍ଡପ । କିଛି କିଛି ମଣ୍ଡପରେ ତୋରଣ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ମୃଣ୍ମୟ ମୃତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର I ନୟାପଲ୍ଲୀ ଦୂର୍ଗା ମଣ୍ଡପରେ ଦକ୍ଷିଣ ଭାରତର କଳା ସଂସ୍କୃତିକୁ ଦେଖିବେ ଦର୍ଶକ । ଉଚ୍ଚ ଅଟ୍ଟାଳିକା ସମ୍ପୂର୍ଣ୍ଣ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଭିତରେ ପୂଜା ପାଇବେ ମାଆ । ତୋରଣ ଭିତର ଓ ବାହାରେ ଦେଖିବାକୁ ମିଳିବ କେରଳ କୁଚିପୁଡି ନୃତ୍ୟର ଝଲକ । ମେଦିନିପୁରର ୩୦ରୁ ଅଧିକ କାରିଗର ଏହାକୁ ନିର୍ମାଣ କରୁଛନ୍ତି । ୭୫ ଫୁଟର ତୋରଣରେ ବିରାଜିବେ ମାଆ ଦୁର୍ଗା ।

ପୁଣି ପ୍ରତିବର୍ଷ ପୂଜାରେ କିଛି ଭିନ୍ନ କରୁଥିବା ରସୁଲଗଡ଼ ପୂଜା ମଣ୍ଡପରେ ଏଥର ଦେଖିବାକୁ ମିଳିବ ଉତ୍ତରାଖଣ୍ଡ ପାହାଡ଼ ଗୁମ୍ଫାରେ ଦେବୀ ମନ୍ଦିର । ୮୫ ଫୁଟ ଉଚ୍ଚ ଓ ୧୨୦ ଫୁଟ ଚଉଡ଼ା ବିଶିଷ୍ଟ ଏହି ତୋରଣ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ପାହାଡ଼ ଉପରେ ଗଛଲତା ସହ ଗୁମ୍ଫା ଭିତରେ ପ୍ରବେଶ କରି ମାଆ ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାର ରୋମାଞ୍ଚକର ଅନୁଭୂତି ପାଇବେ ଲୋକେ । ୫୦ ଜଣ ବଙ୍ଗୀୟ କାରିଗର ପ୍ରାୟ ଦୁଇମାସ ହେଲା ତୋରଣ ନିର୍ମାଣ କାମରେ ଲାଗିଛନ୍ତି ।