ନନ୍ଦିଘୋଷ ବ୍ୟୁରୋ: ଚଳିତ ଫିଫା ବିଶ୍ୱକପ୍ ଗ୍ରୁପ ‘ସି’ ମ୍ୟାଚ୍ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରତିଯୋଗିତାର ଅନ୍ୟତମ ଟାଇଟଲ୍ ଫେଭରିଟ୍ କୁହାଯାଉଥିବା ବ୍ରାଜିଲ୍, ଆଫ୍ରିକୀୟ ଦେଶ ମରକ୍କୋ ସହିତ ପଏଣ୍ଟ୍ ଭାଗ କରିବାକୁ ବାଧ୍ୟ ହୋଇଛି। ରବିବାର ଭୋର୍ ସମୟରେ ହୋଇଥିବା ଏହି ରୋମାଞ୍ଚକର ମୁକାବିଲା ୧-୧ ଗୋଲ୍ରେ ଡ୍ର ରହିଛି।
ମ୍ୟାଚ୍ର ଆରମ୍ଭରୁ ହିଁ ଶକ୍ତିଶାଳୀ ବ୍ରାଜିଲ୍ ଆଗରେ ଆଫ୍ରିକୀୟ ଚାମ୍ପିଅନ୍ ମରୋକ୍କୋ ଚମତ୍କାର ଖେଳ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲା।ମ୍ୟାଚ୍ର ୨୧ତମ ମିନିଟ୍ରେ ଇସ୍ମାଇଲ୍ ସାଇବାରି ପ୍ରଥମ ଗୋଲ୍ କରି ମରକ୍କୋକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଅଧିକାଂଶ ସମୟରେ ମରକ୍କୋ ଖେଳାଳିମାନେ ବଲ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲେ, ଯେଉଁଠି ବ୍ରାଜିଲ୍ର ଉଭୟ ଆକ୍ରମଣ ଓ ପ୍ରତିରକ୍ଷା ବେଶ୍ ଖାପଛଡ଼ା ମନେହେଉଥିଲା।
ମରକ୍କୋର ଗୋଲ୍ ସ୍କୋର କରିବାର ୧୧ ମିନିଟ୍ ପରେ, ଅର୍ଥାତ୍ ମ୍ୟାଚ୍ର ୩୨ତମ ମିନିଟ୍ ରେ ବ୍ରାଜିଲ୍ ପକ୍ଷରୁ ଷ୍ଟାର୍ ଖେଳାଳି ଭିନିସିୟସ୍ ଜୁନିଅର୍ ଏକ ଚମତ୍କାର ଗୋଲ୍ କରି ସ୍ଥିତିକୁ ୧-୧ ସମାନ ସ୍ତରକୁ ଆଣିଥିଲେ।
ମ୍ୟାଚ୍ର ଦ୍ବିତୀୟ ପର୍ଯାୟରେ ବ୍ରାଜିଲ୍ ନିଜର ପୁରୁଣା ଲୟକୁ ଫେରିବା ପରି ଲାଗୁଥିଲା ଏବଂ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଥିଲା। କିନ୍ତୁ ଶେଷ ପର୍ଯ୍ୟନ୍ତ କୌଣସି ଦଳ ଗୋଲ୍ କରିବାରେ ସଫଳ ହୋଇନଥିଲେ।
ତେବେ ବ୍ରାଜିଲ ଦଳର ଏଭଳି ପ୍ରଦର୍ଶନକୁ ନେଇ ମୁଖ୍ୟ ପ୍ରଶିକ୍ଷକ କାର୍ଲୋ ଆନସେଲୋଟି ନିଜର ଅସନ୍ତୋଷ ଜାହିର କରିଛନ୍ତି। ସେ କହିଛନ୍ତି ଦଳ ପ୍ରତିଯୋଗିତାରେ ଭଲ ଆରମ୍ଭ କରିନାହିଁ। ଖେଳାଳିମାନେ ବହୁତ ନର୍ଭସ୍ ହୋଇ ଖେଳୁଥିଲେ ଏବଂ ଅନେକ ସମୟରେ ବଲ୍ ଉପରେ ସେମାନଙ୍କର ନିୟନ୍ତ୍ରଣ ରହିନଥିଲା। ପ୍ରଥମାର୍ଦ୍ଧ ଆଦୌ ଭଲ ନଥିଲା, କିନ୍ତୁ ଦ୍ବିତୀୟ ପର୍ଯାୟରେ ସ୍ଥିତିରେ ସୁଧାର ଆସିଥିଲା। ମରକ୍କୋ ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ ଏହା ଏକ ଆହ୍ବାନମୂଳକ ମ୍ୟାଚ୍ ଥିଲା।

