୧୫ ବର୍ଷ ଚୋର-ପୋଲିସ ଖେଳ: ଗୋଟିଏ ଟାଟୁ ପୁଣି ପଠାଇ ଦେଲା ଜେଲ୍

1 min read

ମୁମ୍ବାଇ: ୧୫ ବର୍ଷର ଚୋର-ପୋଲିସ ଖେଳର ଅନ୍ତ । ୧୫ ବର୍ଷ ହେଲା ଭୂଆଁ ବୁଲାଉଥିବା ଅଭିଯୁକ୍ତକୁ ଶେଷରେ କାବୁ କଲା ପୋଲିସ । ଏପରିକି ପୋଲିସ ଇନଫର୍ମର ତାକୁ ମୃତ ବୋଲି କହି ଦେଇଥିଲେ । ହେଲେ ଗୋଟିଏ ସୁରାକ, ପୋଲିସକୁ ପହଞ୍ଚାଇ ଦେଇଥିଲା ୬୩ ବର୍ଷିୟ ଅଭିଯୁକ୍ତ ପାଖରେ । ପୋଲିସକୁ ଦେଖିବା ପରେ ପ୍ରଥମେ ସେ ନିଜ ଅପରାଧ ମାନି ନଥିଲା । ହେଲେ ହାତରେ ଥିବା ଟାଟୁ କାରଣରୁ ତାକୁ ନିଜ ଅପରାଧ ମାନିବାକୁ ପଡ଼ିଥିଲା ।

ସୂଚନା ଅନୁସାରେ, ୨୦୦୮ରେ ବମ୍ବେ ପୋର୍ଟ ଟ୍ରଷ୍ଟ ଅଞ୍ଚଳରୁ ଅର୍ମୁଗମ ଦେବେନ୍ଦ୍ର ଜଣେ ସାଥୀ ସହ ତେଲ ଚୋରି ଅଭିଯୋଗରେ ଗିରଫ ହୋଇଥିଲା ।  ଏହି ମାମଲାରେ ଦେବେନ୍ଦ୍ରଙ୍କୁ ଜାମିନ ମିଳି ଯାଇଥିଲା । ପୋଲିସ ଚାର୍ଜସିଟ ଦାଖଲ କରିବା ପରେ ଦେବେନ୍ଦ୍ରଙ୍କ ଜାମିନ ରଦ୍ଦ ହୋଇଯାଇଥିଲା । ହେଲେ ସେ ଥାନାରେ ହାଜିର ହୋଇ ନଥିଲା । ଏହାପରେ କୋର୍ଟ ତାକୁ ପଳାତକ ଘୋଷଣା କରିଥିଲେ । ପୋଲିସ ତା’ ଘରକୁ ଯେତେ ଥର ଯାଇଛି, ସେଠାରେ କେବଳ ତା’ ପତ୍ନୀଙ୍କୁ ଦେଖିବାକୁ ପାଇଥିଲା । ହେଲେ ତାକୁ କେବେ ପାଇ ନଥିଲେ । ତେବେ ଦେବେନ୍ଦ୍ର ଗିରଫ ହେବା ବେଳେ ତା’ ହାତରେ ଥିବା ଏକ ଟାଟୁର ଫଟୋ ପୋଲିସ ରଖିଥିଲା । ଯାହାକୁ ଆଧାର କରି ପୋଲିସ ତା’ର ସନ୍ଧାନ ଚଳାଇଥିଲା । ଏହି ଟାଟୁ ବାଦ, ତା’ ସମ୍ପର୍କରେ ଆଉ କୌଣସି ସୂଚନା ପୋଲିସ ପାଖରେ ନଥିଲା ।

ପୁଅର ସୂଚନା ମିଳିବା ପରେ ପୋଲିସ ପାଇଲା ସୁରାକ

ଏହା ମଧ୍ୟରେ ୧୫ ବର୍ଷ ବିତି ଯାଇଥିଲେ ବି ପୋଲିସ ଦେବେନ୍ଦ୍ରର ସନ୍ଧାନ ଜାରି ରଖିଥିଲା । ପୋଲିସର କିଛି ଗୁପ୍ତଚର ତାକୁ ମୃତ ବୋଲି ମଧ୍ୟ କହି ଦେଇଥିଲେ । ହେଲେ, ପୋଲିସ ଫାଇଲ ବନ୍ଦ କରିନଥିଲା ।  ଏହା ମଧ୍ୟରେ ଦେବେନ୍ଦ୍ରର ପୁଅ ସୂଚନା ପାଇଥିଲା ପୋଲିସ । ପୁଅର ମୋବାଇଲ ନମ୍ବର ଯାଞ୍ଚରୁ କିଛି ନିର୍ଦ୍ଦିଷ୍ଟ ନମ୍ବର  ଉପରେ ସନ୍ଦେହ ହୋଇଥିଲା । ଏହା ଭିତରରୁ ଏକ ନମ୍ବରର ଲୋକେସନ୍ ମୁମ୍ବାଇର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ଥିଲା । ଯାହା ପୋଲିସ ମନରେ ସନ୍ଦେହ ସୃଷ୍ଟି କରିଥିଲା । ଦେବେନ୍ଦ୍ର କୌଣସି ଟ୍ୟୁରିଷ୍ଟ ବସରେ ଥିବା ପୋଲିସ ସନ୍ଦେହ କରିଥିଲା । ଉକ୍ତ ବ୍ୟକ୍ତିଙ୍କ ହ୍ବାଟ୍ସଆପ ଷ୍ଟାଟସରୁ ମୁମ୍ବାଇ ଦର୍ଶନ ଲୋଗ ଲାଗିଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀର ସୂଚନା ପାଇଥିଲା ପୋଲିସ ।

ଏହାପରେ ଗ୍ରାହକ ସାଜି ପୋଲିସର ଜଣେ ବ୍ୟକ୍ତି ମୁମ୍ବାଇ ଦର୍ଶନ ଅଫିସରେ ପହଞ୍ଚି ଥିଲା । ସେଠାରେ ମୁମ୍ବାଇ ଦର୍ଶନ ପାଇଁ ଏକ ବସ୍ ଯୋଗାଇ ଦେବାକୁ କହିଥିଲା । ଏହାରି ମଧ୍ୟରେ ଛଦ୍ମବେଶରେ ଥିବା ପୋଲିସ ଅଫିସର ଜଣଙ୍କ ଉକ୍ତ ଅଫିସରେ ଦେବେନ୍ଦ୍ରକୁ ଦେଖିଥିଲେ ।  ସେହିଠାରେ ତାକୁ ଗିରଫ କରିନିଆଯାଇଥିଲା । ସେ ନିଜ ପରିଚୟ ଲୁଚାଇବାକୁ ବହୁ ଚେଷ୍ଟା କରିଥିଲା । ହେଲେ ପୋଲିସ ପାଖରେ ଥିବା ତା’ର ଟାଟୁ ଫୋଟ ଦେଖିବା ପରେ ସବୁ ସତ ମାନିଯାଇଥିଲା ।