ରଥଯାତ୍ରା ପାଇଁ ପଞ୍ଚମ ପର୍ଯ୍ୟାୟରେ ବୌଦ୍ଧରୁ ଆସିଲା ୫୧ଖଣ୍ଡ ଅସନ ଓ ଧଉରା କାଠ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପଞ୍ଚମ ପର୍ଯ୍ୟାୟରେ ବୌଦ୍ଧରୁ ୫୧ଖଣ୍ଡ ଅସନ ଓ ଧଉରା କାଠ ଆସି ପହଞ୍ଚିଛି। ସକାଳେ ଚତୁର୍ଥ ପର୍ଯ୍ୟାୟରେ ୪୫ଖଣ୍ଡ କାଠ ଆସିଥିଲା। ଗତକାଲି ନୟାଗଡ ବନଖଣ୍ଡରୁ ତୃତୀୟ ପର୍ଯ୍ୟାୟରେ ୧୭ଟି ଧଉରା ଓ ଅସନ କାଠ ଆସିଥିଲା। ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି। ତେବେ ୭୯୭ ଖଣ୍ଡରୁ ଆଜି ପର୍ଯ୍ୟନ୍ତ ମୋଟ ୧୭୫ଖଣ୍ଡ କାଠ ପୁରୀରେ ପହଞ୍ଚିଥିବା ବେଳେ ବଳକା କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ। ଖପୁରିଆ କରତକଳକୁ ୩୬୦ଖଣ୍ଡ କାଠ ପଠାଯାଇ ସାରିଛି। ଗତ ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା। ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ତିନିରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave a Reply