spot_img

Latest Posts

ସଂସଦରେ ଆଜି ବଜେଟ୍ ଉପସ୍ଥାପନ; ରହିଛି ଦେଶବାସୀଙ୍କ ନଜର

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୩-୨୪ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ୪୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ପରିମାଣ ହୋଇପାରେ ବୋଲି ଆକଳନ କରାଯାଉଛି। କେଉଁ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ। ମଧ୍ୟବିତ୍ତ ପରିବାର ଉପରେ ବଢିବ କି ଚାପ। ନୂଆ ବଜେଟ ଲୋକଙ୍କ ପକେଟକୁ କେତେ ସୁହାଇବ। କରଦାତାଙ୍କ ପାଇଁ କଣ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା। ଏହା ଉପରେ ରହିଛି ଦେଶବାସୀଙ୍କ ନଜର।

ବେକାରୀ ସମସ୍ୟା, ଅର୍ଥନୀତିରେ ମାନ୍ଦାବସ୍ତା, ଲୋକଙ୍କ ଆୟରେ ହ୍ରାସ, ବହୁ ସାମଗ୍ରୀର ଦରଦାମ ଭଳି ଅର୍ଥନୀତିରେ ବହୁତ ଆହ୍ବାନ ରହିଛି। ଏଭଳି ଏକ ଗମ୍ଭୀର ସମୟରେ ବଜେଟରୁ ଅନେକ କିଛି ଆଶା ରଖିଛନ୍ତି ଲୋକେ । ବେତନଭୋଗୀ ମାନେ ଆୟକର ଛାଡ଼ ସୀମା କୋହଳ ହେବା କିମ୍ବା କିଛି ଅତିରିକ୍ତ ସୁବିଧା ପାଇଁ ଚାହିଁ ବସିଛନ୍ତି ।

ଅର୍ଥନୀତିରେ ସୁଧାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଭିତ୍ତିଭୂମି, ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଗ୍ରାମୀଣ ବିକାଶ, ରୋଜଗାର, ପାନୀୟ ଜଳ ଆଦି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଗୁଡିକରେ ସରକାର ବ୍ୟୟ ବରାଦ ବଢାଇବେ ବୋଲି ଆଶା କରାଯାଉଛି । ତେବେ ଆକଳନ ଅନୁସାରେ ଏଥର ଖର୍ଚ୍ଚ ଉପରେ ଅଧିକ ଗୁରୁତ୍ବ ଦିଆଯାଇପାରେ ।

ଚଳିତ ବର୍ଷ ବିଭିନ୍ନ ରାଜ୍ୟରେ ନିର୍ବାଚନକୁ ଲକ୍ଷ୍ୟରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇପାରନ୍ତି । ଅର୍ଥମନ୍ତ୍ରୀ ଏଥର ବଜେଟରେ ଟିକସ ହାର ଗୁଡିକରେ ବିଶେଷ ପରିବର୍ତ୍ତନ କରିନପାରନ୍ତି । ସରକାରୀ ସମ୍ପତ୍ତି ବିକ୍ରି, ପୁଞ୍ଜି ପ୍ରତ୍ୟାହାର, ଏବଂ ଋଣ ଜରିଆରେ ପାଣ୍ଠି ଯୋଗାଡ଼ ଉପରେ ବିଶେଷ ଗୁରୁତ୍ବ ଦିଆଯାଇପାରେ । ଏମ୍ଏସ୍ଏମ୍ଇ ସେକ୍ଟରର ଅଭିବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ଠୋସ୍ ପଦକ୍ଷେପ ନେବା ଜରୁରୀ ବୋଲି ଅର୍ଥ ବିଶେଷଜ୍ଞ ମତ ରଖିଛନ୍ତି । ଏଥର ହିସାବ ନିକାଶରେ ବଡ଼ ଧରଣ ପରିବର୍ତ୍ତନ ଆଶା କରାଯାଇଛି ।

Latest Posts

Don't Miss