ବଢ଼ିବ ନାଟୋର ବଳ, ୩୧ତମ ସଦସ୍ୟ ରାଷ୍ଟ୍ର ଭାବେ ଆଜି ସାମିଲ ହେବ ଫିନଲାଣ୍ଡ

1 min read

ନୂଆଦିଲ୍ଲୀ: ନାଟୋ ଲାଗି ଆଜି ଗୁରୁତ୍ବପୂର୍ଣ୍ଣ ଦିବସ । ୩୧ ତମ ସଦସ୍ୟ ଭାବେ ନାଟୋରେ ସାମିଲ ହେବ ଫିନଲ୍ୟାଣ୍ଡ । ଏନେଇ ଘୋଷଣା କରିଛନ୍ତି ନାଟୋ ମହାସଚିବ ଜେନସ ଷ୍ଟଲଟନବର୍ଗ । ଆସନ୍ତା ମାସରେ ନାଟୋରେ ସ୍ୱିଡେନ ମିଶିବ ବୋଲି ସୂଚନା ମିଳିଛି । ଷ୍ଟଲଟନବର୍ଗ କହିଛନ୍ତି- ଫିନଲାଣ୍ଡ ନାଟୋର ଏକ ପୂର୍ଣ୍ଣକାଳୀନ ସଦସ୍ୟ ହେବାକୁ ଯାଉଛି । ଫିନଲାଣ୍ଡର ସଦସ୍ୟତା ନିଷ୍ପତ୍ତିକୁ ତୁର୍କୀ ମଞ୍ଜୁର କରିବା ପରେ ନାଟୋର ସଦସ୍ୟ ସଂଖ୍ୟା ୩୧କୁ ବଢିବ । ଆୟୋଜନ ହେବାକୁ ଉତ୍ସବରେ ସାମିଲ ହେବେ ଫିନଲାଣ୍ଡ ରାଷ୍ଟ୍ରପତି ଓ ପ୍ରତିରକ୍ଷା ମନ୍ତ୍ରୀ । ସେପଟେ ଖୁବ୍ ଶୀଘ୍ର ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ କରିବ ଋଷ । ଏନେଇ ସ୍ପଷ୍ଟ କରିଛନ୍ତି ବେଲାଋଷ ଲାଗି ନିଯୁକ୍ତ ଋଷର ରାଷ୍ଟ୍ରଦୂତ ବୋରିସ ଗ୍ରିଜଲୋଭ । ନାଟୋର ସଦସ୍ୟ ରାଷ୍ଟ୍ର ପୋଲାଣ୍ଡ, ଲିଥୁଆନିଆ ଓ ଲାଟଭିଆ ସୀମାକୁ ଲାଗି ଅବସ୍ଥିତ ବେଲାଋଷରେ ଯଦି  ଆଣବିକ ଅସ୍ତ୍ର ମୁତୟନ କରାଯାଏ ତେବେ ସମଗ୍ର ନାଟୋ ଲାଗି ଏହା ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି । ଏହି ୩ ନାଟୋ ସଦସ୍ୟ ରାଷ୍ଟ୍ର ସହ ବେଲାଋଷର ସୀମା ପ୍ରାୟ ୧୨୫୦ କିଲୋମିଟର ଯାଏ ଲମ୍ବିଛି ।

କିଛିଦିନ ତଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ- ବେଲାଋଷରେ ଋଷ ପକ୍ଷରୁ ଆଣବିକ ଅସ୍ତ୍ରଶସ୍ତ୍ର ମହଜୁଦ କରାଯିବା ଲାଗି ବ୍ୟବସ୍ଥା ଜୁଲାଇ ୧ ସୁଦ୍ଧା ଶେଷ ହେବ । ଏହା ସହ ଆଣବିକ ଅସ୍ତ୍ର ପରିବହନ କରିବାକୁ ବେଲାଋଷର ଯୁଦ୍ଧ ବିମାନଗୁଡ଼ିକର ଆଧୁନିକୀକରଣ କରାଯିବ ବୋଲି ସେ କହିଥିଲେ । ଯଦି ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ କରାଯାଏ ତେବେ ୟୁକ୍ରେନ, ପୂର୍ବ ୟୁରୋପ ଓ କେନ୍ଦ୍ରୀୟ ୟୁରୋପର ନାଟୋ ରାଷ୍ଟ୍ରଗୁଡ଼ିକ ଲାଗି ବିପଦ ସୃଷ୍ଟି ହେବ । ତେଣେ ଯୁଦ୍ଧ ଆରମ୍ଭ ପରଠାରୁ ଋଷ ସୈନ୍ୟଙ୍କ ଆକ୍ରମଣରେ ୟୁକ୍ରେନର ୨୬୨ ଆଥଲେଟ ପ୍ରାଣ ହରାଇବା ସହ ୩୬୩ଟି ସ୍ପୋର୍ଟସ୍ ଫାସିଲିଟି ଧ୍ବଂସ ହେଲାଣି ବୋଲି ରିପୋର୍ଟ ପ୍ରକାଶ ପାଇଛି ।