ପୁଣି ଅଡୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ସ୍ବାମୀ ରାଜ କୁନ୍ଦ୍ରା: ୬୦ କୋଟି ଟଙ୍କା ଠକେଇ ଅଭିଯୋଗରେ ମାମଲା ରୁଜୁ

ପୁଣି ଅଡୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ସ୍ବାମୀ ରାଜ କୁନ୍ଦ୍ରା। ମୁମ୍ବାଇର ଜଣେ ବ୍ୟବସାୟୀଙ୍କଠାରୁ ପ୍ରାୟ ୬୦ କୋଟି ଟଙ୍କା ଠକେଇ ଅଭିଯୋଗରେ ରୁଜୁ ହୋଇଛି ମାମଲା। ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ ଲିମିଟେଡକୁ ନେଇ ହୋଇଥିବା ଡିଲରେ ଏହି ଠକେଇ ଘଟିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ଫାର୍ମ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି। ଶିଳ୍ପା ଓ କୁନ୍ଦ୍ରାଙ୍କ ବିରୋଧରେ ୬୦ କୋଟି ଟଙ୍କାର ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ ଦୀପକ କୋଠାରି। ୨୦୧୫ରୁ ୨୦୨୩ ମଧ୍ଯରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଲୋଟସ କ୍ୟାପିଟାଲ ଫାଇନାନସିଆଲ ସର୍ଭିସେସର ନିର୍ଦ୍ଦେଶକ ଅଛନ୍ତି ଦୀପକ। ଶିଳ୍ପା ଓ କୁନ୍ଦ୍ରାଙ୍କୁ ତାଙ୍କ ସହ ପରିଚୟ କରାଇଥିଲେ ରାଜେଶ ଆର୍ଯ୍ୟ ନାମକ ଜଣେ ବ୍ୟକ୍ତି। ସେମାନେ ସେତେବେଳେ ବେଷ୍ଟ ଡିଲ ଟିଭି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଥିଲେ। ଏହା ଥିଲା ଏକ ହୋମ ସପିଙ୍ଗ ଓ ଅନଲାଇନ ରିଟେଲ ପ୍ଲାଟଫର୍ମ। ସେମାନେ କମ୍ପାନୀର ୮୭.୬ ପ୍ରତିଶତ ସେୟାର ରଖିଥିଲେ। ପ୍ରଥମେ ବଲିଉଡ ଦମ୍ପତି୧୨ ପ୍ରତିଶତ ସୁଧହାରରେ ୭୫ କୋଟି ଟଙ୍କାର ଋଣ ଚାହିଁଥିଲେ। ଦମ୍ପତିଙ୍କ ଅନୁରୋଧ ପରେ ଏପ୍ରିଲ ୨୦୧୫ ଦୀପକ ୩୧.୯୫ କୋଟି ଟଙ୍କାର ଋଣ ଦେଇଥିଲେ। ସେପ୍ଟେମ୍ବରରେ ଆଉ ୨୮.୫୩ କୋଟି ଟଙ୍କା ପ୍ରଦାନ କରିଥିଲେ। ଋଣ ମିଳିବା ପରେ କମ୍ପାନୀର ନିର୍ଦ୍ଦେଶିକା ପଦରୁ ଶିଳ୍ପା ଇସ୍ତଫା ଦେଇଥିଲେ। ଏହା ସହ ଦୀପକଙ୍କ ଟଙ୍କା ଫେରାଇ ନଥିଲେ। ପୂର୍ବରୁ ଆଡଲ୍ଟ ଫିଲ୍ମ ଓ ବିଟକଏନ ଠକେଇ ମାମଲାରେ ଛନ୍ଦି ହୋଇଥିଲେ କୁନ୍ଦ୍ରା।