ରାଜଧାନୀ ଭୁବନେଶ୍ବରରେ ବର୍ଷୁଛି ନିଆଁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରରେ ବର୍ଷୁଛି ନିଆଁ । ଗତକାଲି ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ମଧ୍ଯରେ ୧୧ତମ ସ୍ଥାନରେ  ଭୁବନେଶ୍ବର।  ଏପ୍ରିଲ ଆରମ୍ଭରୁ ପ୍ରବଳ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ଗତକାଲି ଭୁବନେଶ୍ବରରେ ଚଳିତ ସିଜିନର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା । ୪୩.୨ ଡିଗ୍ରୀ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ଭାବରେ ରେକର୍ଡ ହୋଇଥିଲା । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ଜଳିବ ଓଡିଶା । ଉପାନ୍ତରୁ ଉପକୂଳ ସବୁଠି ସ୍ବାଭାବିକ ଠାରୁ ୫ ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି ତାପମାତ୍ରା । ଯାହାକୁ ନଜରରେ ରଖି ୬ ତାରିଖରେ ରାଜ୍ୟର ୧୪ ସହର ପାଇଁ ହିଟୱେଭ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତିର ସ୍ଥିତି । ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି । ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । କେଉଁଝର, ଅନୁଗୁଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, ବୌଦ୍ଧ, ଭଦ୍ରକ, କନ୍ଧମାଳ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଛୋଟପିଲା, ବୟସ୍କ, ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଖରାକୁ ବାରଣ କରାଯାଇଛି ।

ଅନ୍ୟପଟେ ଆସନ୍ତାକାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଝଡବର୍ଷା ସମ୍ଭାବନା ରହିଛି । କିଛି ଜିଲ୍ଲାରେ 7 ରୁ 11 ସେଣ୍ଟିମିଟର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ପଶ୍ଚିମା ଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ଫଳରେ ୭, ୮ ଓ ୯ ତାରିଖରେ କାଳବୈଶାଖୀ ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ପବନର ବେଗ ମଧ୍ୟ 40 ରୁ 50 ରହିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ ।