ଢେଙ୍କାନାଳରେ ପୂର୍ବତନ ଯୁବ ବିଜେଡି ଉପସଭାପତିଙ୍କୁ ଗୁଳିମାଡ଼, ୨ ରାଉଣ୍ଡ ଫାୟାରିଂ କରି ଫେରାର ଦୁର୍ବୃତ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କୁ ଗୁଳିମାଡ଼ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପିଛା କରି ତାଙ୍କୁ ତାଙ୍କ କାମାକ୍ଷାନଗର ବାସଭବନ ଆଗରେ ଦୁଇ ରାଉଣ୍ଡ ଗୁଳିମାଡ଼ କରିଛନ୍ତି । ଗୁଳିମାଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ୩ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ କାହ୍ନୁ ଚରଣଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାହ୍ନୁ ଚରଣଙ୍କ ଗୋଡ ଓ ହାତରେ ଦୁଇଟି ଗୁଳି ବାଜିଛି । ପୂର୍ବରୁ ମଧ୍ୟ ୨ ଥର କାହୁଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିଲା । ଗତ ୧୮ ଅକ୍ଟୋବର ୨୦୨୨ରେ ମଧ୍ୟ ତାଙ୍କ ଘର ଓ ଗାଡି ଉପରକୁ ବୋମାମାଡ଼ ହୋଇଥିଲା । ଏଥିରେ ତାଙ୍କର ଏକ କାର ନଷ୍ଟ ହୋଇଯାଇଥିଲା । ସେହିପରି ଡିସେମ୍ବର ୨୦୨୨ରେ ମଧ୍ୟ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ଅପହରଣ ପାଇଁ ଉଦ୍ୟମ କରିଥିଲେ ।

ଗୁଳିମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଢେଙ୍କାନାଳ ଏସପି । କାହ୍ନୁଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିମାନେ ପୂର୍ବରୁ ଅପହରଣ କରିଥିବା ଦୁର୍ବୃତ୍ତଙ୍କ ସହଯୋଗୀ । ଅପହରଣକାରୀ ଦୁର୍ବୃତ୍ତମାନେ ଏବେ ବି ଜେଲରେ ଅଛନ୍ତି । ଜେଲରେ ଥାଇ ସେମାନେ ଗୁଳିମାଡ଼ର ଯୋଜନା କରିଥାଇପାରନ୍ତି ବୋଲି କହିଛନ୍ତି ଏସପି । ଖୁବଶୀଘ୍ର ଘଟଣାସ୍ଥଳରେ ପହଞ୍ଚିବ ଫରେନସିକ ଟିମ୍ । ଅପରାଧୀଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ବୋଲି ଏସପି କହିଛନ୍ତି ।