ଧାମରା ବନ୍ଦରରେ ଲାଗିଲା CNG କାର୍ଗୋ ଜାହାଜ, ଗାଁରେ ମନା ହେଲା ରୋଷେଇ

ଧାମରା: ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ । ମିଲାହା ରାସ୍ ଲାଫନ୍ ନାମକ ଜାହାଜ ସିଏନଜି ନେଇ ପ୍ରଥମ ଥର ପାଇଁ ଧାମରା ବନ୍ଦରରେ ଲାଗିଛି । ଏହି ଜାହାଜଟି ୨୬ ମିଲିୟନ ପ୍ରାକୃତିକ ଫ୍ରୋଜନ୍ ଗ୍ୟାସ୍ ନେଇ ଧାମରା ବନ୍ଦରରେ ପହଞ୍ଚିଛି । ଧାମରା ବନ୍ଦରରେ ଏଲଏନଜି ଗ୍ୟାସ୍ ଆମଦାନୀ ଟର୍ମିନାଲ ନିର୍ମାଣ କାର୍ଯ୍ୟ ସରିଛି । ଏହି ଏଲଏନଜି ସାର କାରଖାନାରେ ବ୍ୟବହୃତ ହେବା ସହ ଏହି ଗ୍ୟାସକୁ ବିଶୋଧିତ କରାଯାଇ ପ୍ରାକୃତିକ ଗ୍ୟାସ୍ ଏବଂ ରୋଷେଇ ଗ୍ୟାସ୍ ମଧ୍ୟ ତିଆରି କରାଯାଇ ପାରିବ । ଏହି ଗ୍ୟାସ୍ ଟର୍ମିନାଲ ପ୍ରଥମେ ୨.୨ ମିଲିୟନ ଟନରୁ ୨.୩ ମିଲିୟନ ଟନ୍ କ୍ଷମତାରେ କାର୍ଯ୍ୟ କରିବା ପରେ ଏହା ୫ ମିଲିୟନ ଟନ୍‌ କ୍ଷମତାକୁ ବୃଦ୍ଧି କରାଯିବ। ଆସିଥିବା ଜାହାଜରେ ୧୩୫ ହଜାର ଘନ ମିଟର ଗ୍ୟାସ୍ କୋଲକାତାରୁ ମାର୍ଚ୍ଚ ୨୧ରେ ବୋଝେଇ ହୋଇ ଧାମରା ବନ୍ଦରରେ ଏପ୍ରିଲ ୨ ତାରିଖରେ ପହଞ୍ଚିଥିଲା ।

ଗେଲ୍ ଇଣ୍ଡିଆ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଏହି ଗ୍ୟାସ୍ ବୁକ୍ କରିଥିଲେ । ଏହି ଗ୍ୟାସ୍ ପହଞ୍ଚିବା ପରେ ଏହାକୁ ବିଶୋଧନ କରି ପୁନଃଗ୍ୟାସ୍ ପାଇପ୍ ଲାଇନ୍ ଯୋଗେ ଇସ୍ପାତ ଏବଂ ସାର କାରଖାନା ଯୋଗାଯିବ । ଧାମରା ବନ୍ଦରରେ ୨ଟି ଗ୍ୟାସ୍ ଷ୍ଟୋରେଜ ନିର୍ମାଣ ହୋଇଥିବା ବେଳେ, ଏହାର କ୍ଷମତା ୩୬୦ ହଜାର ଘନ ମିଟର । ଗ୍ୟାସ୍ ବୋଝେଇ ଜାହାଜ ଧାମରା ବନ୍ଦରରେ ପହଞ୍ଚିବା ପରେ ନିକଟ ଗ୍ରାମରେ ସତର୍କତା ପାଇଁ ରୋଷେଇ ନ କରିବାକୁ ସୂଚନା ଦିଆଯାଇଛି । ଧାମରା ବନ୍ଦର ପକ୍ଷରୁ ୫ ଦିନ ବ୍ୟାପୀ ରନ୍ଧା ଖାଦ୍ୟ ସମ୍ପୃକ୍ତ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯିବ ।