ଦେଶରେ ମଙ୍କିପକ୍ସ ଯୋଗୁଁ ପ୍ରଥମ ମୃତ୍ୟୁ, ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଥିରୁଅନନ୍ତପୁରମ: କେରଳରେ ଜଣେ ସନ୍ଦିଗ୍ଧ ମକ୍ସିପକ୍ସ ରୋଗୀଙ୍କର ମୃତ୍ୟୁ ହୋଇଛି । କେରଳର ତ୍ରିଶୁରରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ନିକଟରେ ମଙ୍କିପକ୍ସର ଲକ୍ଷଣ ଦେଖାଦେଇଥିଲା । ସେ ନିକଟରେ ୟୁଏଇରୁ ଭାରତକୁ ଆସିଥିଲେ । ମଙ୍କିପକ୍ସର ଲକ୍ଷଣ ପରେ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟ ବିଭାଗ ଅଧିକ ସତର୍କ ହୋଇଛି । ୟୁଏଇରେ ଟେଷ୍ଟ ବେଳେ ଯୁବକ ଜଣକ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତଥାପି ଯୁବକଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଯାଞ୍ଚ କରାଯିବ ।

ଯୁବକ ଜଣକ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ନଥିଲା । ବିଶେଷଜ୍ଞ ଟିମ ଯାଞ୍ଚ କରିବା ଆରମ୍ଭ କରିବା ସହ ମୃତ୍ୟୁର କାରଣ ଖୋଜୁଛନ୍ତି । ଡବ୍ଲୁଏଚଓ ଅନୁସାରେ, ମଙ୍କିପକ୍ସର ଲକ୍ଷଣ ୬ରୁ ୧୩ ଦିନ ମଧ୍ୟରେ ଦେଖା ଦେଇଥାଏ । ତେବେ କିଛି ମାମଲାରେ ୫ରୁ ୨୧ ଦିନର ସମୟ ମଧ୍ୟ ଲାଗିଥାଏ । ସଂକ୍ରମିତ ହେବା ପରେ ପରବର୍ତ୍ତୀ ୫ ଦିନ ଜର, ମୁଣ୍ଡବ୍ୟଥା, ହାଲିଆ ଲାଗିବା, ଦେହରେ ଯନ୍ତ୍ରଣା ହୋଇଥାଏ। ଭାରତ ସହ ବିଶ୍ବର ୭୮ ଦେଶକୁ ମଙ୍କିପକ୍ସ ବ୍ୟାପିସାରିଛି । ଭାରତର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନ୍ୟ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି ।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ମଙ୍କିପକ୍ସ କରୋନା ଭଳି ଅଧିକ ସଂକ୍ରମକ ନୁହେଁ । କିନ୍ତୁ ଯେହେତୁ ଭାଇରାଲ୍ ଡିଜିଜ ଏହା ବ୍ୟାପୁଛି । ମଙ୍କିପକ୍ସ ଯୋଗୁଁ ମୃତ୍ୟୁ ହାର ମଧ୍ୟ କୋଭିଡ ତୁଳନାରେ ବହୁତ କମ୍ । ଏହାକୁ ରୋକିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି ଦେଶ ମଙ୍କିପକ୍ସ ବିଷୟରେ ସମ୍ପୂର୍ଣ୍ଣ ଅଧ୍ୟୟନ କରିନାହାନ୍ତି । ଏହାର ଟୀକା କିମ୍ବା ରୋକିବା ପାଇଁ କୌଣସି ଔଷଧ ମଧ୍ୟ ବାହାରି ନାହିଁ । ଏହି କାରଣରୁ କେରଳରେ ଏହାର ଗବେଷଣା କରାଯାଉଛି ।