ମଦ ପିଇ ବିମାନରୁ ଓହ୍ଲାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍, ସ୍ପଷ୍ଟୀକରଣ ଦେବାକୁ ଦାବି

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କୁ ଜର୍ମାନୀର ଫ୍ରାଙ୍କଫୋର୍ଟ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇ ଦେବା ମାମଲା ବଢିବାରେ ଲାଗିଛି । ଶିରୋମଣୀ ଅକାଳି ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ଟ୍ୱିଟ୍ କରି ମାନ୍ ଓ କେଜ୍ରିୱାଲଙ୍କୁ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ମାମଲା ବିଶ୍ୱରେ ପଞ୍ଜାବୀଙ୍କୁ ବଦନାମ କରିଛି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୭ ତାରିଖ ଦିନ ଜର୍ମାନୀରୁ ନୂଆଦିଲ୍ଲୀ ଫେରୁଥିବା ବେଳେ ଭଗବନ୍ତ ସିଂହ ମାନ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିବା ଖବର ଆସିଥିଲା । କିଛି ସହଯାତ୍ରୀ ଏନେଇ ଟ୍ୱିଟ୍ କରିବା ପରେ ମାମଲା ସାମ୍ନାକୁ ଆସିଥିଲା । ଫ୍ରାଙ୍କଫୋର୍ଟ ବିମାନ ବନ୍ଦରରୁ ଲୁଫ୍‌ଥାଂସା ଏୟାରଲାଇନରେ ମାନ୍ ଦିଲ୍ଲୀ ଆସିବାର ଥିଲା । ବିମାନ ସ୍ଥାନୀୟ ସମୟ ଅନୁସାରେ ଶନିବାର ଦି’ପହର ୧.୪୦ ମିନିଟରେ ଉଡାଣ ଭରିବାର ଥିଲା ।

କିନ୍ତୁ ମାନ୍‌ଙ୍କ ମଦକାଣ୍ଡ ପାଇଁ ହୋଇଥିବା ହଙ୍ଗାମା କାରଣରୁ ବିମାନ ୪ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିଲା । ଫଳରେ ରାତି ୧୨.୫୫ ମିନିଟରେ ଦିଲ୍ଲୀରେ ପଂହଚିବାକୁ ଥିବା ବିମାନ ୪ ଘଣ୍ଟା ବିଳମ୍ବରେ ସୋମବାର ଅପରାହ୍ନ ୪.୩୦  ମିନଟରେ ଦିଲ୍ଲୀରେ ଲ୍ୟାଣ୍ଡ୍ କରିଥିଲା ।

ଯାତ୍ରୀଙ୍କ ଅଭିଯୋଗ ପଞ୍ଜାବ ମୁଖ୍ୟମନ୍ତ୍ରୀ ମଦ ନିଶାରେ ଚୁର୍‌ ଥିଲେ

ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅନୁସାରେ ମାନ୍ ଅତ୍ୟଧିକ ମଦ୍ୟପାନ କାରଣରୁ ଚାଲି ପାରୁନଥିଲେ ।  ତାଙ୍କ ପତ୍ନୀ ଓ ସୁରକ୍ଷାକର୍ମୀ ତାଙ୍କୁ ସାହରା ଦେଉଥିଲେ । ସୁରକ୍ଷାଗତ କାରଣରୁ ମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ତେବେ ମାନଙ୍କ ଷ୍ଟାଫ୍ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ହଙ୍ଗାମା ହୋଇଥିଲା ବୋଲି ସହଯାତ୍ରୀ କହିଛନ୍ତି ।

ଶିରୋମଣି ଅକାଳି ଦଳ ସହିତ କଂଗ୍ରେସ ମଧ୍ୟ ଏହାକୁ ନେଇ ମାନ୍‌ଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛି । ତେବେ ଆପ୍ ଏହି ଅଭିଯୋଗକୁ ଖଣ୍ଡନ କରୁଛି । ଆମ୍ ଆଦମୀ ପାର୍ଟିର କହିବା  ହେଉଛି ଯେ, ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିଲା । ତେଣୁ ସେ ୧୭ ବଦଳରେ ୧୮ ତାରିଖ ଦିନ ଦିଲ୍ଲୀ ଫେରିଥିଲେ । ତେବେ ଆପର ସ୍ପଷ୍ଟୀକରଣକୁ ଶିରୋମଣି ଅକାଳୀ ଦଳ ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ । ଅକାଳୀ ଦଳର କହିବା ହେଉଛି ଯେ, ଏହି ମାମଲାକୁ ନେଇ ଖୋଦ ମାନ୍ କିମ୍ବା ଅରବିନ୍ଦ କେଜ୍ରିୱାଲ ଆଗକୁ ଆସି ସ୍ପଷ୍ଟୀକରଣ ଦିଅନ୍ତୁ । କାରଣ ଏହା ଦ୍ୱାରା ପଂଜାବର ଭାବମୂର୍ତ୍ତି ବିଶ୍ୱରେ ପ୍ରଭାବିତ ହୋଇଛି ।