ଜାନୁୟାରୀରୁ ବ୍ରହ୍ମପୁରରୁ ମିଳିବ ବିମାନ ସେବା, ଯାତାୟାତ ହେବ ସୁଗମ

1 min read

ଜାନୁୟାରୀରୁ ବ୍ରହ୍ମପୁରରୁ ମିଳିବ ବିମାନ ସେବା । ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ଦେଇ ଯାତାୟାତ ହେବ ସୁଗମ । ସମୀକ୍ଷା ପରେ ସୂଚନା ଦେଲେ ଦକ୍ଷିଣାଞ୍ଚଳ ଆରଡିସି । ଡିସେମ୍ବର ସୁଦ୍ଧା ସମସ୍ତ କାମ ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ । ବିମାନବନ୍ଦର ନିମନ୍ତେ ରନଓ୍ବେ, ପାଚେରୀ, ଅଣ୍ଡରଗ୍ରାଉଣ୍ଡ କେବୁଲିଂ, ପାଣି ପମ୍ପ, କେନାଲର ଦିଗ ପରିବର୍ତ୍ତନ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର କାର୍ଯ୍ୟ ଜାରୀ ରହିଛି । 2-B କ୍ୟାଟେଗୋରୀର ଏହି ଏୟାରପୋର୍ଟରେ ରହିଛି ଏକ ହଜାର ୯୦ ମିଟର ରନୱେ । ଆଉ ୫୬ ଏକର ଜମି ଆବଶ୍ୟକତା ଥିବାବେଳେ ସେଥିରୁ 40 ଏକର ସରକାରୀ ଜମି । ସେଥିରୁ ୨୪ ଏକର ଜମି ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଆଉ ୧୬ ଏକର ଜାଗା ପୁଣି କିଣାଯାଇଛି । ୬ ହଜାର ଗଛ କଟାଯାଇଛି । ଡ଼ିସେମ୍ବର ଶେଷ ସୁଦ୍ଧା କାମ ସରିବା ପରେ ଜାନୁୟାରୀ ୨୬ରୁ ବିମାନ ଉଡ଼ିବା ନେଇ ସୂଚନା ଦେଇଛନ୍ତି ଆରଡିସି ।

୨୦୨୩ ମାର୍ଚ୍ଚ ୫ ତାରିଖରେ ପୂର୍ବତନ ସରକାର ଏହାକୁ ପ୍ରତିଷ୍ଠା କରିଥିଲେ । ବ୍ରହ୍ମପୁରରୁ ଭୁବନେଶ୍ବର ଯାତାୟତ କରୁଥିଲା ୯ ସିଟ୍ ବିଶିଷ୍ଟ ବିମାନ । କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣ ଯୋଗୁଁ ଏହା ବନ୍ଦ ଥିଲା । ବର୍ତ୍ତମାନ ବିମାନ ବନ୍ଦର ସମ୍ପ୍ରସାରଣ ନେଇ ପଦକ୍ଷେପ ନିଆଯାଇଥିବାରୁ ଏଠାରୁ ୭୨ରୁ ୧୪୦ ସିଟି ବିଶିଷ୍ଟ ବିମାନ ମଧ୍ୟ ଚଳାଚଳ ହୋଇପାରିବ । ଯାହାକୁ ନେଇ ଉତ୍ସାହିତ ବ୍ରହ୍ମପୁରବାସୀ । ବିଳମ୍ବ ନେଇ ଅଭିଯୋଗ ପରେ ଅଧିକାରୀଙ୍କୁ ନେଇ ସମୀକ୍ଷା କରି କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆରଡିସି ।