ବନ୍ୟା ନେଇ ଆସିଲା ଆଶ୍ଵସ୍ତିକର ଖବର। ସ୍ଥିତିରେ ସୁଧାର ଆସୁଥିବା କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ବନ୍ୟା ନେଇ ଆସିଲା ଆଶ୍ଵସ୍ତିକର ଖବର। ସ୍ଥିତିରେ ସୁଧାର ଆସୁଥିବା କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ସେ କହିଛନ୍ତି, କେବଳ ଯାଜପୁର ଜିଲ୍ଲାକୁ ଛାଡ଼ି ବାକି ସବୁ ସ୍ଥାନରେ ସୁଧୁରୁଛି ପରିସ୍ଥିତି। ରାଜଘାଟରେ ସୁବର୍ଣ୍ଣରେଖା ଖସୁଛି। ଆଜି ସନ୍ଧ୍ୟା ସୁଦ୍ଧା ବିପଦ ସଂକେତ ତଳକୁ ଆସିବ। ଆସନ୍ତାକାଲି ଭୋର ସମୟରେ ସତର୍କ ସଂକେତ ତଳକୁ ଆସିବ। କାରଣ ଗତକାଲି ସୁବର୍ଣ୍ଣରେଖା ବେସିନ କି ଜାମସୋଲା ଘାଟରେ ବେଶି ବର୍ଷା ହୋଇନି। ଆଖୁଆପଦାରେ ବୈତରଣୀ ବିପଦ ସଂକେତ ତଳେ ଅଛି। ମରାମତି କାମ ଆସନ୍ତାକାଲି କି ପର ଦିନ ଆରମ୍ଭ ହେବ।  ବଂଶଧାରା, ନାଗାବଳି ଓ କୋଲାବରେ ସାମାନ୍ୟ ଅଧିକ ବର୍ଷା ହୋଇଛି। ଅନ୍ୟ କେଉଁ ବେସିନରେ ବର୍ଷା ହୋଇନି। ହୀରାକୁଦରେ ୪ଟି ଗେଟ ବନ୍ଦ ହେବାରୁ ୮ ଗେଟ ଦେଇ ଜଳ ନିଷ୍କାସନ ହେଉଛି। ମୁଣ୍ଡଳୀରେ ୩ ଲକ୍ଷ କ୍ଯୁସେକ ଜଳ ପ୍ରବାହିତ ହେଉଛି, ଏହା ଯାହା ସ୍ୱାଭାବିକ। ଆସନ୍ତାକାଲିଠାରୁ ସ୍ଥିତି ସ୍ୱାଭାବିକ ହେବ। ଯେଉଁ ଲଘୁଚାପ ଆସୁଛି, ତା ଗତିଵିଧି ବଦଳୁଛି। ସଠିକ ଖବର ଆସିଲେ, ଅନ୍ୟ ସୂଚନା ଦେଇ ହେବ। ବାଲେଶ୍ୱରରେ ବନ୍ୟା ଯୋଗୁଁ ବସ୍ତା, ଭୋଗରାଇ, ବାଲିଆପାଳ, ଜଳେଶ୍ୱର ପ୍ରଭାବିତ ହୋଇଛି। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ, ତିହିଡି, ଧାମନଗର ବ୍ଲକ ବି ପ୍ରଭାବିତ ହୋଇଛି। ଯାଜପୁରରେ କାଣୀ ନଦୀ ଘାଇ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି।