ଡରାଉଛନ୍ତି ବୈତରଣୀ ଓ ସୁବର୍ଣ୍ଣରେଖା ; ଦୁଇ ନଦୀର ବନ୍ୟାରେ ଭାସୁଛି ଉତ୍ତର ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ଉପରମୁଣ୍ଡରେ ପ୍ରବଳ ବର୍ଷା । ଫଳରେ ସୁବର୍ଣ୍ଣରେଖା ବୈତରଣୀରେ ବନ୍ୟାସ୍ଥିତି । ପ୍ରଭାବିତ ହୋଇଛି ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲା । ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛି ପ୍ରଶାସନ । ବାଲେଶ୍ବର ଜିଲ୍ଲା ଭୋଗରାଇ ଓ ବାଲିଆପାଳର ବହୁ ଗାଁରେ ପଶିଛି ପାଣି । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ପଞ୍ଚମଥର ବନ୍ୟା ସ୍ଥିତି ଉପୁଜିଛି । ଭଦ୍ରକଜିଲ୍ଲା ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲିର ଅନେକ ପଞ୍ଚାୟତ ପାଣି ଘେରରେ ରହିଛି । ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ମାଡ଼ି ଯାଇଛି। ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ବନ୍ୟା କ୍ଷୟକ୍ଷତିର ଆକଳନ କରିବା ସହିତ ସହାୟତା ଯୋଗାଇବାକୁ ଦାବି ହୋଇଛି ।
ସେପଟେ ଉପର ମୁଣ୍ଡରେ ବର୍ଷା ହେବା ଫଳରେ ବୈତରଣୀ ଓ ଏହାର ଶାଖା ନଦୀରେ ବନ୍ୟା ଆସିଛି । ଫଳରେ ଦଶରଥପୁର, ଯାଜପୁର ବ୍ଲକ ପ୍ରଭାବିତ ହୋଇଛି । ସେପଟେ ଜଳସ୍ତର ବଢୁଥିବାରୁ ହୀରାକୁଦର ୧୨ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଛି । ସେହିପରି ରେଙ୍ଗାଲି ଡ୍ୟାମରେ ଦୁଇଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ଷା ବଢିଲେ ପରିସ୍ଥିତି ବିଗିଡିପାରେ ବୋଲି ଆଶଙ୍କା କରାଯାଇଛି ।