ବନ୍ୟାରେ ବେହାଲ ଆସାମ, ୪  ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଗୌହ୍ୱାଟୀ: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ଲାଗି ରହିଛି । ଏହି ବିନାଶକାରୀ ବନ୍ୟାରେ ୯ ଜିଲ୍ଲାରେ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅବଶ୍ୟ ବନ୍ୟା ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି । ବନ୍ୟାକୁ ନେଇ ସରକାର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ତୀବ୍ର କରି କରିଦେଇଛନ୍ତି । ନ୍ୟାସନାଲ ଡିଜାଷ୍ଟର ରିଲିଫ ଫୋର୍ସ ମୁତୟନ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମାଙ୍କ ସହ ଆଲୋଚନା କରି ସବୁ ପ୍ରକାରର ସହାୟତା କରିବାକୁ ଆଶ୍ୱାସନା ଦେଇଛନ୍ତି ।

ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନର ସମନ୍ୱୟରେ ଆସାମର ବନ୍ୟା ପ୍ରଭାବିତ ଜିଲ୍ଲାରେ ଏନଡିଆରଏଫର ୧୦ ଟିମ ମୁତୟନ କରାଯାଇଛି । ଏନଡିଆରଏଫର ଟିମ୍ ତଳିଆ ଅଞ୍ଚଳରେ ଉଦ୍ଧାର ଏବଂ ସ୍ଥାନାନ୍ତର କାମ ଜାରି ରଖିଛି । ଏନଡିଆରଏଫ ଅନେକ ମୁସକିଲ ସମସ୍ୟାର ସାମ୍ନା କରି ଏପର୍ଯ୍ୟନ୍ତ ସୁଦ୍ଧା ୧୨୩ରୁ ଅଧିକ ଲୋକ ଏବଂ ଅନେକ ଗାଈଗୋରୁଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଯାଇଛି । ଉଦ୍ଧାରକାର୍ଯ୍ୟ ସମୟରେ ୧୧ ଜଣଙ୍କ ଜୀବନ ବଞ୍ଚାଯାଇଛି । ଦଳ ରିଲିଫ ସାମଗ୍ରୀ ବିତରଣ କାର୍ଯ୍ୟରେ ସ୍ଥାନୀୟ ଅଧିକାରୀଙ୍କ ମଧ୍ୟ ସହାୟତା କରିଛି । ବର୍ତ୍ତମାନ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।